Categories: ଜାତୀୟ

ଲୋହିଆ ନଗରରେ ବିସ୍ଫୋରଣ

ମେରଠ,୧୭।୧୦: ମେରଠର ଲୋହିଆ ନଗରରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏକ କାରଖାନାରେ ହୋଇଥିବା ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସୂଚନାଯୋଗ୍ୟ, ଏଠାରେ ଥିବା ଏକ ଘରେ କାର୍ଯ୍ୟ କରୁଥିବା କାରଖାନାରେ ଘଟିଥିବା ଏକ ବଡ଼ ଧରଣର ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନା ଚାଲୁଥିବା ଘର ସହିତ ନିକଟସ୍ଥ ଦୁଇ ତିନିଟି ଘର ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଶରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଡିଏମ ଏବଂ ମାଜିଷ୍ଟ୍ରେଟଙ୍କ ସମେତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିଏମ ଦୀପକ ମୀନାଙ୍କ ଅନୁଯାୟୀ, ବାଣ କାରଖାନା ଭଳି କୌଣସି ଜିନିଷ ସାମ୍ନାକୁ ଆସି ନାହିଁ, ବହୁ ପରିମାଣର ସାବୁନ ଘଟଣାସ୍ଥଳରେ ବିଛାଡି ହୋଇ ପଡିଥିବା ଦେଖିବାକୁ ମିଳିଛି।
ଭୁଷୁଡିବା ସ୍ଥାନରେ ଅନେକ ଲୋକ ପୋତି ହୋଇ ପଡିଥିବାର ସମ୍ଭାବନା ଅଛି ବୋଲି କୁହାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩୩କେଭି ଲାଇନର ସ୍ତମ୍ଭ ମଧ୍ୟ ଭାଙ୍ଗିଗଲା। ରାସ୍ତାରେ ଯାଉଥିବା ଅନେକ ଲୋକ ଆହତ ହୋଇଥିଲେ। ପାଖାପାଖି ୩ ରୁ ୪ କିଲୋମିଟର ଦୂରରେ ଥିବା ଘର ବିସ୍ଫୋରଣରେ ଥରି ଉଠିଥିଲା। ଭୁଶୁଡ଼ି ପଡ଼ିଥିବା ଘରଟି ଜଣେ ସଞ୍ଜୟ ଗୁପ୍ତାଙ୍କର ବୋଲି କୁହାଯାଉଛି ଯାହାକୁ ଗୌରବ ତ୍ୟାଗି ନାମକ ଜଣେ ବ୍ୟକ୍ତି ଭଡ଼ାରେ ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Share