ପାକିସ୍ତାନରେ ବିସ୍ଫୋରଣ: ୩୯ ମୃତ

ପେଶାଓ୍ବର,୩୧ା୭ : ଆଫଗାନିସ୍ତାନ ସୀମାକୁ ଲାଗିଥିବା ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶ ଅନ୍ତର୍ଗତ ଏକ ଆଦିବାସୀ ଜିଲାରେ ରବିବାର ଅପରାହ୍ନରେ ଆତ୍ମଘାତୀ ବିସ୍ଫୋରଣ ଘଟି ୩୯ ଜଣଙ୍କ ମୃତ୍ୟୁ ହେବା ସହ ୧୨୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ବଜାଉର ଆଦିବାସୀ ଜିଲାର ସଦର ମହକୁମା ଖାର୍‌ଠାରେ ରାଜନୈତିକ ଦଳ ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ-ଫଜଲ (ଜେୟୁଆଇ-ଏଫ୍‌)ର ସମ୍ମିଳନୀ ଚାଲିଥିବାବେଳେ ବିସ୍ଫୋରଣ ଘଟିଥିଲା। ସମ୍ମିଳନୀରେ ୪୦୦ରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଦଳର କେନ୍ଦ୍ରୀୟ ନେତୃତ୍ୱ ପହଞ୍ଚତ୍ବାକୁ ଅପେକ୍ଷା କରାଯାଇଥିବାବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆତଙ୍କ ଖେଳିଯିବା ସହ ଲୋକେ ଧାଁଦଉଡ଼ କରିଥିଲେ। ଆତ୍ମଘାତୀ ବୋମାଧାରୀ ମଞ୍ଚର ଅତି ନିକଟରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ ବୋଲି ଖାଇବର ପଖତୁନ୍‌ଖ୍ବାର ସ୍ବାସ୍ଥ୍ୟମନ୍ତ୍ରୀ ରିଆଜ ଅନଓ୍ବର କହିଛନ୍ତି।

ବିସ୍ଫୋରଣ ସ୍ଥଳରେ ମୃତଦେହଗୁଡ଼ିକ ଛିଟିକି ପଡ଼ିଥିଲାବେଳେ ସ୍ବେଚ୍ଛାସେବୀମାନେ ଆହତମାନଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରୁଥିବା ଦେଖାଯାଇଛି। ପାକିସ୍ତାନରେ ଅକ୍ଟୋବର କିମ୍ବା ନଭେମ୍ବରରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ଦଳଗୁଡ଼ିକ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆତ୍ମଘାତୀ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ସ୍ଥାନୀୟ ଗୋଷ୍ଠୀ ସେଠାରେ ସକ୍ରିୟ ଥିବା କୁହାଯାଇଛି। ଦଳ ସହ ସମ୍ପୃକ୍ତ ଧର୍ମୀୟ ବିଦ୍ୱାନମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯିବ ବୋଲି ଗତବର୍ଷ ଆଇଏସ୍‌ କହିଥିଲା। ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଆଜମ ଖାନ୍‌ ଘଟଣାର ତଦନ୍ତ କରନ୍ତୁ ବୋଲି ଜେୟୁଆଇ-ଏଫ୍‌ ମୁଖ୍ୟ ମୌଲାନା ଫଜଲୁର ରେହମାନ ଦାବି କରିଛନ୍ତି।

Share