କ୍ରଶରରେ ବ୍ଲାଷ୍ଟିଂ, ଥରିଲା ଗାଁ

ପାଟଣା,୧୦ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅଧୀନ ଅଙ୍କୁରା ସ୍କୁଲସାହି ତଥା ହୁଡ଼ି ସାହିରେ ଥିବା ଏକ କ୍ରଶରରେ ରବିବାର ବ୍ଲାଷ୍ଟିଂ ବେଳେ ହଠାତ୍‌ ଗାଁ ଥରି ଉଠିଥିଲା। ବଡ଼ ବଡ଼ ପଥରଖଣ୍ଡ ପାଖ ଘର ଉପରେ ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ପ୍ରଭାବରେ ୬ରୁ ଊର୍ଦ୍ଧ୍ୱ ଘରର କାନ୍ଥ ଫାଟିବା ସହ ସ୍କୁଲ ଘର ଟାଇଲ ମଧ୍ୟ ଭାଙ୍ଗିଯାଇଛି। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ କ୍ରଶର ଉଚ୍ଛେଦ ଲାଗି ଅଡି ବସିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗାଁରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ କ୍ରଶରର ୨ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ବେଳେ ଗାଁଠାରୁ ୩ ଶହ ମିଟର ଦୂରରେ ଥିବା କ୍ରଶରରେ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ ହୋଇଥିଲା। ବ୍ଲାଷ୍ଟିଂରେ ଗାଁ ଥରି ଉଠିବାରୁ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଗ୍ରାମର ଲତା ମହାରଣା ଘରେ ଶୋଇଥିବା ବେଳେ ଟାଇଲ ଘର ଭାଙ୍ଗି ଏକ ବିରାଟ ପଥର ଖଣ୍ଡ ଘର ଭିତରେ ପଡ଼ିଥିଲା। ଫଳରେ ଖଟ ଭାଙ୍ଗିଯାଇଛି। ଅଳ୍ପକେ ଲତା ଆସନ୍ନ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ଗ୍ରାମର ରମେଶ ମହାରଣା, ରାଜକିଶୋର ନାଏକ, ସମ୍ପତ୍ତି ନାଏକ, ନରତ୍ତୋମ ନାଏକ ଓ ଝୁନୁ ନାଏକଙ୍କ ଛାତ, ଆଜବେଷ୍ଟସ ସହ ଘର କାନ୍ଥ ଫାଟି ଯାଇଛି। ଅଙ୍କୁରା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି ଗୃହ କାନ୍ଥ, ସ୍କୁଲ ଗୃହ ଛାତ, ଟାଇଲ ଭାଙ୍ଗିବା ସହ କାନ୍ଥ ଫାଟିଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ମହିଳା ପୁରୁଷ ଠେଙ୍ଗାବାଡ଼ି ଧରି କ୍ରଶର ଅଭିମୁଖେ ଯାଇଥିଲେ। ଫଳରେ କ୍ରଶର ପରିସରରେ ଥିବା ୧୫ରୁ ଊର୍ଦ୍ଧ୍ୱ କର୍ମଚାରୀ ଭୟଭୀତ ହୋଇ ସ୍ଥାନ ଛାଡ଼ି ପଳାଇଥିଲେ। ଖବର ପାଇ ପାଟଣା ଥାନା ଏସ୍‌ଆଇ ମନୋରମା ସ୍ବାଇଁ, ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା, ଏଏସ୍‌ଆଇ ପଦ୍ମାବତୀ ବିଶ୍ୱାଳଙ୍କ ସହ ଥାନା କର୍ମଚାରୀ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଗାଁରୁ କ୍ରଶର ଉଚ୍ଛେଦ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଭାବିତଙ୍କ ସହ ବିପିନ ବିହାରୀ ପାତ୍ର, ତପନ ମହାରଣା, ସଞ୍ଜୟ ନାଏକ, ପ୍ରଦୀପ ନାଏକ, ସୁବ୍ରତ ନାଏକ, ମୁନା ନାଏକ, ବାପୁନ ନାଏକ, ରଜତ ନାଏକ ପ୍ରମୁଖ ଦାବି କରିଛନ୍ତି। ଉତ୍ତେଜନାକୁ ଆଖି ଆଗରେ ରଖି ଘଟଗାଁ ଏସ୍‌ଡିପିଓ ଆଲୋକ ଜେନା ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।