କୂଅ ଖୋଳୁଥିବାବେଳେ ବ୍ଲାଷ୍ଟିଂ: ଶ୍ରମିକ ମୃତ

ବୌଦ୍ଧ, ୧।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ କୂଅ ଖୋଳୁଥିବା ବେଳେ ବ୍ଲାଷ୍ଟିଂ ଯୋଗୁ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରଭଙ୍ଗା ଥାନାର ଖରଭୂଇଁ ଗ୍ରାମର ସୁରେନ୍ଦ୍ର ବଗର୍ତ୍ତି (୩୦)। ଗ୍ରାମର ଜଣେ ବ୍ୟକ୍ତିଙ୍କ କୂଅ ଖୋଳିିବା ପାଇଁ ଏକ ଟ୍ରାକ୍ଟର ସହ କେତେଜଣ ଶ୍ରମିକ ଆସିଥିଲେ। କୂଅ ଖୋଳିବାବେଳେ ପଥର ପଡ଼ିଥିଲା। ପଥର ଭାଙ୍ଗିବାପାଇଁ କୂଅ ମଧ୍ୟରେ କିଛି ବିସ୍ଫୋରକ ଲଗାଇ ଥିଲେ। କିନ୍ତୁ କାମ କରୁଥିବାବେଳେ ଅପରାହ୍ନରେ କୂଅ ଭିତରେ ଲଗାଯାଇଥିବା ବିସ୍ଫୋରକ ଫୁଟିବା ଯୋଗୁ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ରାତି ପର୍ଯ୍ୟନ୍ତ ମୃତଦେହ କୂଅ ଭିତରେ ପଡ଼ିଥିବା ଜଣାପଡିଛି। ବିସ୍ଫୋରକ ଫୁଟିବା ପରେ ଗାଡି ମାଲିକ ଓ ଶ୍ରମିକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପରିବାର ପକ୍ଷରୁ ପୋଲିସକୁ ଜଣାଇ ଦିଆଯାଇଛି। ଏନେଇ ପୁରୁଣାକଟକ ପୋଲିସ ପକ୍ଷରୁ ସବିଶେଷ ତଥ୍ୟ ମିଳି ନ ଥିବା ଓ ଘଟଣାର ତଦନ୍ତ କରାଯାଉଛି ବୋଲି କୁହାଯାଇଛି।

Share