ବୋଲଗଡ଼,୪ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ତଥା ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମ ତଳସାହିର ଦୃଷ୍ଟିବାଧିତ ବାଲୁଙ୍କେଶ୍ବର ପାଇକରାୟ (୫୨) ପୈତୃକ ସମ୍ପତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ, ରାଜସ୍ବ ବିଭାଗ, ଗୃହ ବିଭାଗ, ଉଚ୍ଚ ନ୍ୟାୟାଳୟ ଆଇନସେବା ପ୍ରାଧିକରଣ କମିଟି, ଓଡ଼ିଶା ଆସୋସିଏଶନ ଫର ବ୍ଲାଇଣ୍ଡ ଅନୁଷ୍ଠାନ ଓ ମାନବ ଅଧିକାର କମିଶନଙ୍କୁ ବିଭିନ୍ନ ସମୟରେ ଲିଖିତ ଅଭିଯୋଗ ପରେ ତଦନ୍ତ ହୋଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନାହିଁ। ଦୀର୍ଘ ୨୦ ବର୍ଷ ହେବ ନିଜ ଅଧିକାର ସମ୍ପତ୍ତିକୁ ଫେରିପାଇବାକୁ ନ୍ୟାୟିକ ଲଢେଇ ଜାରି ରଖିଛନ୍ତି। ସୂଚନାଥାଉ କି, କଡ଼ବ ଗ୍ରାମ ତଳସାହିରେ ରୁହନ୍ତି ବାଲୁଙ୍କେଶ୍ୱର ଓ ତାଙ୍କ ସ୍ତ୍ରୀ। ତେବେ ବାଲୁଙ୍କେଶ୍ୱରଙ୍କ ସମ୍ପତ୍ତିର କିଛି ଅଂଶକୁ ତାଙ୍କର ଜଣେ ସମ୍ପର୍କୀୟ ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବାସଗୃହ ପଛରେ ଥିବା ଶୌଚାଳୟକୁ ଯିବା ପାଇଁ ବିବାଦୀୟ ପାଚେରିକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଗୁହାରି କରିଛନ୍ତି।