କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ

ନୂଆଦିଲ୍ଲୀ,୧୫ା୨: ବଲିଉଡ୍‌ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍‌ ଥ୍ରିଲର ‘ବ୍ଲାଇଣ୍ଡ୍‌’ର ଶୁଟିଂ ଶନିବାର ସ୍କଟ୍‌ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା ସିନେ କ୍ରିଟିକ୍‌ ତଥା ମୁଭି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟରରେ ସୂଚନା ଦେଇଛନ୍ତି। ତରନ୍‌ ଏହି ପୋଷ୍ଟ ସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସୋନମ ଫାଇନାଲ ଶୁଟିଂ ସେଟରେ ନିଜ ଟିମ୍‌ମେଟମାନଙ୍କ ସହ ଥିବା ଦେଖିବାକୁ ମିଳିଛି। ଶୋମ୍‌ ମାଖିଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ଗତ ଡିସେମ୍ବର ୨୮ରେ ବ୍ରିଟେନର ଗ୍ଲାସ୍‌ଗୋରେ ଆରମ୍ଭ ହୋଇଥିଲା। ସିରିୟଲ କିଲରଙ୍କ ସନ୍ଧାନରେ ଥିବା ଜଣେ ଅନ୍ଧ ପୋଲିସ ଅଫିସରଙ୍କୁ ନେଇ ଏହି କାହାଣୀ ଗତିଶୀଳ ହୋଇଛି। ଏଥିରେ ସୋନମଙ୍କ ସହ ବିନୟ ପାଠକ, ପୂରବ କୋହଲି ଓ ଲିଲେଟ୍ଟେ ଦୁବେ ମଧ୍ୟ ଅଭିନୟ କରିଛନ୍ତିି। ପ୍ରାଯୋଜକମାନେ ଚଳିତ ବର୍ଷ ଏହାକୁ ରିଲିଜ୍‌ କରିବା ପାଇଁ ଯୋଜନା କରୁଛନ୍ତିି। ୨୦୧୧ରେ ମୁକ୍ତିଲାଭ କରିଥିବା କୋରିଆନ୍‌ ଫିଲ୍ମ ‘ବ୍ଲାଇଣ୍ଡ୍‌’ର ଏହା ହେଉଛି ରିମେକ୍‌।

Share