ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି: ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦେବଗଡ଼,୨୫ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କୁ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ ତନୁଚନ୍ଦ୍ର ପାତ୍ର ଧକ୍କା ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କ ଅଭିଯୋଗ ଅନୁଯାୟୀ, ସେ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ ତନୁଚନ୍ଦ୍ର ପାତ୍ର ମଦ୍ୟପାନ କରି ସୂର୍ଯମଣି ମହାନ୍ତଙ୍କ ସହିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେହିପରି ଶ୍ରୀ ପାତ୍ର ଶ୍ରୀ ମାଝିଙ୍କୁ ଧକ୍କା ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ସହ ବିଡିଓ ସ୍ମୃତିରଞ୍ଜନ ସାହୁଙ୍କ ମଧ୍ୟଖିଖିତ ଭାବେ ଜଣାଇଥିଲେ। ଅଭିଯୋଗ ଆଧାରରେ ବିଡିଓ ଶ୍ରୀ ସାହୁ ମଧ୍ୟ ଅଭିଯୋଗ ପତ୍ରକୁ ଥାନାକୁ ପ୍ରେରଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଛନ୍ତି। ସେହିପରି ଏନେଇ ସେ ଦେବଗଡ଼ ଜିଲାପାଳ ଓ ଜିଲାଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଅବଗତ କରି କାର୍ଯ୍ୟାନୁଷ୍ଠାନ ସହ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ଘଟଣା ପରେ ଶ୍ରୀ ପାତ୍ର ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଙ୍କର ବୋଲେରୋ ଗାଡ଼ିକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ। ଫଳରେ କାର୍ଯ୍ୟାଳୟ ମଧ୍ୟରୁ କୌଣସି ଚାରିଚକିଆ ଯାନ ବାହାରକୁ ବାହାରି ପାରି ନ ଥିଲା କି ବାହାରୁ ମଧ୍ୟ କୌଣସି ଚାରିଚକିଆ ଯାନ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିପାରି ନ ଥିଲା। ଏପରିକି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବିଡିଓଙ୍କ ଗାଡ଼ିରେ ବସି ଥାନାକୁ ଏତଲା ଦେବାକୁ ବାହାରିଥିଲେ ହେଁ ରାସ୍ତା ଅବରୋଧ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାଇପାରି ନ ଥିଲେ। ତେବେ ପରେ ବାଇକ୍‌ ଯୋଗେ ବାରକୋଟ ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡ଼ିଛି। ଘଟଣା ପରେ ବାରକୋଟ ବିଡିଓ ଶ୍ରୀ ସାହୁଙ୍କ ଠାରୁ ସୂଚନା ପାଇ ବାରକୋଟ ଥାନା ଆଇଆଇସି ଯାଜ୍ଞସେନୀ ପ୍ରଧାନ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେହିପରି ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି।

Share