
ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟଅତିଥି ଓ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଲାଞ୍ଜିଗଡ ଜୋନ-୧ ଜିଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଭାରତଭୂଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ଲଷ୍ଟର ସଂଯୋଜକ ମନୋଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। କାନକୁଟରୁ ପଞ୍ଚାୟତ ପାଇକବୋରି ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରବେଶ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଅତିଥିମାନେ ବାଲବାଟିକାରେ ପ୍ରବେଶ କରୁଥିବା ଛାତ୍ରୀଛାତ୍ରଙ୍କୁ ଫୁଲତୋଡ଼ା ଦେବାସହ ବନ୍ଦାପନା କରି ସ୍କୁଲ ଭିତରକୁ ନେଇ ଖଡ଼ି ଛୁଆଁଇଥିଲେ I