
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ନିଖିଳ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକାରୀ କମିଟି (ଇସି) ସଂଘ ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ଆନ୍ଦୋଳନ ଚାଲୁରହିଛି। ସୋମବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଲକ ସ୍ତରରେ ଜୀବିକା ମିଶନର ନୂତନ କାର୍ଯ୍ୟକାରୀ କମିଟି ଗଠନ ନିର୍ଦ୍ଦେଶାନାମାକୁ ପ୍ରତ୍ୟାହାର ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି। ଦୀର୍ଘ ୨୫ ବର୍ଷ ଧରି ଜୀବିକା ମିଶନ ଅଧୀନରେ କାର୍ଯ୍ୟକରୁଥିବା ସଦସ୍ୟାମାନଙ୍କ କାର୍ଯ୍ୟକାରୀ କମିଟି ପୁନର୍ଗଠନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବ୍ଲକ ସଂଘ ସଭାନେତ୍ରୀ ସୁନିତା ପଲାଇଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସଦସ୍ୟା ୪ ଦଫା ଦାବି ପୂରଣ ନେଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜୀବିକା ମିଶନ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ ସଦସ୍ୟାଙ୍କୁ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବକେୟା ଭତ୍ତା ପ୍ରଦାନ , କମ୍ୟୁନିଟ ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରାଯିବା, ମାସିକ ୧ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ନିୟମିତ ପ୍ରଦାନ କରି ମହିଳାଙ୍କ ଜୀବିକା ଅର୍ଜନକୁ ବଳବତ୍ତର କରିବା ନେଇ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର କାର୍ଯ୍ୟକର୍ତ୍ତା ସ୍ବୟଂପ୍ରଭା ଦାସ , ଗାୟତ୍ରୀ ଜେନା , ଲକ୍ଷ୍ମୀ ରାଉତ , ବନିତା ବାଡତ୍ୟା, ପିଙ୍କି ପାତ୍ର , ସୁଦଷ୍ଣା ସ୍ବାଇଁ , ସଙ୍ଗୀତା ମହାଙ୍କୁଡ , ଗୀତା ଦୋରା , ବିଷ୍ଣୁପ୍ରିୟା ମହାରଣା , ନମିତା ପ୍ରଧାନ ସମେତ ବହୁ ସଂଖ୍ୟକ ସଦସ୍ୟା ଉପସ୍ଥିତ ଥିଲେ ।