ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି ଅବସ୍ଥାରେ ଜୀବିକା ମିଶନ ଅଧିକାରିଣୀ ଓ କର୍ମଚାରୀ କାର୍ଯ୍ୟାଳୟକୁ ଯିବାକୁ ଡରୁଛନ୍ତି। ଏଥିସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମେତ ଅନ୍ୟମାନେ ଏହି କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ରହିଛି।
ପ୍ରକାଶ ଯେ, ରାଜ୍ୟ ସରକାର ୨୦୦୯ରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ତୃପ୍ତି ନାମକ ଏକ କାର୍ଯ୍ୟାଳୟ ଖୋଲିବା ପରେ ତା’ର ନାମ ବଦଳାଇ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ କରିଥିଲେ। ଗୋପ ବ୍ଲକ ପରିସରରେ ଏହି କାର୍ଯ୍ୟାଳୟ ପ୍ରଥମେ ଏକ ଆଜ୍‌ବେଷ୍ଟସ ଘରେ ଖୋଲା ଯାଇଥିଲା। ପରେ ଗୋପ ବ୍ଲକ କାର୍ଯ୍ୟାଳୟର ଉପର ଗୃହରେ ଚାଲିଥିଲା। କିନ୍ତୁ ଏହି ଉପର ଗୃହ ଅବସ୍ଥା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କାର୍ଯ୍ୟାଳୟର କାନ୍ଥଗୁଡିକ ଫାଟି ଆଁ କରିଥିବାବେଳେ ଝରକା କବାଟ ଭାଙ୍ଗି ପଡ଼ିଛି। ଦୈନନ୍ଦିନ ଏହି କାର୍ଯ୍ୟାଳୟକୁ ଶହଶହ ମହିଳା ବିଭିନ୍ନ କାର୍ଯ୍ୟରେ ଆସୁଥିବାବେଳେ ବିପଦପୂର୍ଣ୍ଣ ଗୃହରେ ବେଶି ସମୟ ରହୁନାହାନ୍ତି। ଅପରପକ୍ଷେ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରିଣୀ ଦୀପାଳି ଛାଟୋଇଙ୍କ ସମେତ ଅନ୍ୟ କର୍ମଚାରୀ ଭୟଭୀତ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି। ଗୃହ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ସରକାରଙ୍କ ପକ୍ଷରୁ ଆସିଥିବା ଏସି ମଧ୍ୟ ଲାଗିପାରୁ ନାହିଁ। ଫଳରେ କର୍ମଚାରୀମାନେ ପ୍ରବଳ ଖରା ଯୋଗୁଁ ଗରମରେ ରହୁଛନ୍ତି। ଏ ସମ୍ପର୍କରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୃଷ୍ଟି ଦେବାକୁ ଦାବି ହେଉଥିବାବେଳେ ବିଡିଓ ଛବିରାଣୀ ସାହୁ ଖୁବ୍‌ଶୀଘ୍ର ଗୃହ ମରାମତି ହେବ ବୋଲି କହିଛନ୍ତି।

Share