ବିଜେଡି ଛାଡିଲେ ବ୍ଲକ ଅଧ୍ୟକ୍ଷା ଅନିମା

ଖଜୁରିପଡା,୧୧ା୫ (ବିଦୂର ବେହେରା ): ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା କନ୍ଧମାଳ ଜିଲା ବିଜୁ ମହିଳା ଜନତା ଦଳର ଜିଲା ସଭାନେତ୍ରୀ ଅନିମା କହଁର ବିଜେଡିର ସମସ୍ତ ପଦପଦବୀ ଏବଂ ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ମହିଳା ସଭାନେତ୍ରୀ ଓ ଜିଲା ପର୍ଯ୍ୟବେକ୍ଷକଙ୍କୁ ପଠାଇଥିବା ସେ ସୂଚନା ଦେଇଛନ୍ତି। ଅନିମା ୨୦୧୫ରୁ ବିଜେଡିର ଜଣେ ଶୃଙ୍ଖଳିତ ପ୍ରତିଷ୍ଠିତ ନେତ୍ରୀ ଏବଂ ଖଜୁରିପଡା ବ୍ଲକର ଦୁଇଥର ଅଧ୍ୟକ୍ଷା ମଧ୍ୟ ହୋଇଥିଲେ। ପୂର୍ବରୁ ବିଜୁ ମହିଳା ଜନତା ଦଳର କଳାହାଣ୍ଡି ପର୍ଯ୍ୟବେକ୍ଷକ ମଧ୍ୟ ରହିଥିଲେ l ବର୍ତ୍ତମାନ କନ୍ଧମାଳ ଜିଲା ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଦଳ ତରଫରୁ ଅଣଦେଖା ହେଉଥିବା ଅନୁଭବ କରି ସେ ଦଳ ଛାଡିଥିବା ଜଣାପଡିଛି l ଏ ନେଇ ବ୍ଲକ ଅଧ୍ୟକ୍ଷା ଅନିମା କହଁରଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ ପଚାରିବାରୁ ଶୀଘ୍ର ପରବର୍ତ୍ତୀ ନିଷ୍ପତ୍ତି ନେବି ବୋଲି କହିଥିଲେ।