ପାଣି ପାଇଁ ରାସ୍ତା ଅବରୋଧ

ଦିଗପହଣ୍ଡି/ପାଟପୁର, ୧୪।୬
(ଅଶେଷ ନାଥ ମିଶ୍ର/ ସୀମାଞ୍ଚଳ ସାହୁ)

ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ୧ ନମ୍ବର ୱାର୍ଡର ବହୁ ସଂଖ୍ୟକ ମହିଳା ପିଇବା ପାଣି ପାଇଁ ଆନ୍ଦୋଳନ କରିଛନ୍ତି। ମଙ୍ଗଳବାର ସକାଳେ ସେମାନେ ୩୨୬ନଂ ଜାତୀୟ ରାଜପଥର ଆସିକା- ଦିଗପହଣ୍ଡି ମୁଖ୍ୟରାସ୍ତାକୁ ପାଟପୁର ଗାନ୍ଧୀଛକ ଠାରେ ଅବରୋଧ କରିଥିଲେ।
ପାଟପୁର ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପାନୀୟ ଜଳ ଯୋଗାଣ ନିମନ୍ତେ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ ପାଣି ମିଳି ନ ଥିଲା । ଚୁଙ୍ଗପୁର ପଞ୍ଚାୟତ ଜଲମରା ଗ୍ରାମରୁ ପାଣି ଆସି ପାଟପୁରରେ ନିର୍ମାଣ ହୋଇଥିବା ଟାଙ୍କିରୁ ପାଟପୁର ଗ୍ରାମକୁ ପାନୀୟ ଜଳ ପ୍ରକଳ୍ପରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଜକୁ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ପାଟପୁର ୧ ନମ୍ବର ୱାର୍ଡକୁ ପାଣି ମିଳି ପାରିନାହିଁ ।
ଏ ନେଇ ବାରମ୍ବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରାଯାଇଥିଲା ବେଳେ ଯଥାଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି କହି ମିଥ୍ୟା ପ୍ରତିଶୃତି ଦେଇଛନ୍ତି ବୋଲି ଆନ୍ଦୋଳନ ସ୍ଥଳରେ ମହିଳାମାନେ ଅଭିଯୋଗ କରିଥିଲେ। ଏନେଇ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ବରାଡ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ପାଣି ସମସ୍ୟାର ସମାଧାନ ଦାବି କରି ଉତ୍ତେଜିତ ମହିଳା ମାନେ ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟପୁର ଗନ୍ଧିଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସେମାନେ ସକାଳୁ ହାଣ୍ଡି ଓ ମାଠିଆ ଆଦି ରାସ୍ତା ରେ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରିବା ଯୋଗୁଁ ଅନେକ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିଲା। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପାଟପୁର ଥାନା ଏସ ଆଇ ମିଲନ ପ୍ରଧାନ, ଶ୍ରୀନିବାସ ଦାସ, ପାଟପୁର ସରପଞ୍ଚ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୫ ଦିନ ସୁଦ୍ଧା ପାନୀୟ ଜଳ ୱାର୍ଡ ବାସିନ୍ଦା ଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share