Advertisement

ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି ଜଣେ ଉପାୟଶୂନ୍ୟ ବାପା। ସେ ହେଲେ ସୁନାବେଡ଼ା ଏଇଏଫ୍‌ କଲୋନି କାଳୀମନ୍ଦିର ନିକଟରେ ରହୁଥିବା ଯବାନ ବଢେଇ। ତାଙ୍କ ଝିଅ ନିବେଦିତା (୧୩) ଦୀର୍ଘ ୩ବର୍ଷ ହେବ ରକ୍ତକର୍କଟ ରୋଗରେ ପୀଡ଼ିତ। ଝିଅର ଚିକିତ୍ସା ପାଇଁ ତାଙ୍କ ନିକଟରେ ଅର୍ଥ ନାହିଁ। ଯବାନ ଜଣେ ଦିନ ମଜୁରିଆ। ଝିଅ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସବୁ ସଞ୍ଚତ୍ତ ଅର୍ଥ ଝିଅ ପାଇଁ ଖର୍ଚ୍ଚ କରିସାରିଲେଣି ସେ। ୨୦୨୧ରେ ଭୁବନେଶ୍ବର ଏମସ୍‌ରେ ଚିକିତ୍ସା ପରେ ଝିଅ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲା। ମାତ୍ର ଗତ ଅଗଷ୍ଟ ମାସରୁ ପୁଣି ଅସୁସ୍ଥ ହୋଇ ପଡିଛି। ତାକୁ ପୁଣି ଭୁବନେଶ୍ବର ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ସେଠାରେ ଡାକ୍ତରଙ୍କ କହିବା ମୁତାବକ ଝିଅକୁ ଦିଲ୍ଲୀ ନେବା ଜରୁରୀ, ଯାହା ଯବାନଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଦିଲ୍ଲୀନେଇ ଝିଅକୁ ଚିକିତ୍ସା କରିବା ଲାଗି ତାଙ୍କ ନିକଟରେ ଅର୍ଥ ନାହିଁ। ସରକାର ତଥା ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଯବାନ। ସୂଚନାଯୋଗ୍ୟ, ଝିଅର ରୋଗ ସମ୍ପର୍କରେ ଜାଣିବା ପରେ ମା’ ଘର ଛାଡି ପଳାଇଛନ୍ତି। ଯବାନଙ୍କ ଭଉଣୀ ପଦ୍ମିନୀ ଜେନା ନିବେଦିତାଙ୍କ ସେବା କରୁଛନ୍ତି। ନିବେଦିତା ସ୍ଥାନୀୟ ଶିଶୁ ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ନିବେଦିତାଙ୍କ ପାଠ ପଢା ପ୍ରତି ରହିଛି ପ୍ରବଳ ଆଗ୍ରହ। ଯଦି କେହି ସହୃଦୟ ବ୍ୟକ୍ତି ନିବେଦିତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ଯବାନଙ୍କ ଫୋନ୍‌ ୭୭୩୫୭୦୭୪୭୯ରେ ଯୋଗାଯୋଗ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share