କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଭାଜପା ପଶ୍ଚିମବଙ୍ଗ ଜୟ ଲକ୍ଷ୍ୟ ନେଇ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏହାର ଗତିରୋଧ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଅଣ୍ଟା ଭିଡ଼ିଛନ୍ତି। ନଦିଆ ଜିଲାର ଶାନ୍ତିପୁର ଅଞ୍ଚଳର ଏକ ଘର କାନ୍ଥରେ ଧମକ ଭରା ଲେଖା ଦେଖିବାକୁ ମିଳିଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଂଲା ଭାଷାରେ କାନ୍ଥରେ ଲେଖା ଯାଇଛି ଯେ,ତୃଣମୂଳ ବିରୋଧରେ ଭୋଟ ଦେଲେ ରକ୍ତର ନଦୀ ବହିବ। ଭାଜପାକୁ ଭୋଟ ଦେଲେ ହତ୍ୟା କରାଯିବ ବୋଲି ଏଥିରେ ଲେଖାଯାଇଛି। ରବିବାର ସକାଳେ ଏଭଳି ଲେଖା ଦେଖିବାକୁ ମିଳିଛି। ତେବେ ଏହାକୁ କିଏ ଲେଖିଛି ସେ ନେଇ ଚର୍ଚ୍ଚା ହେଉଛି। ଶାସକ ଦଳ ଜାଣିଶୁଣି ଏଭଳି କରିବ ନାହିଁ। ଅପରପକ୍ଷରେ ଭାଜପା ମଧ୍ୟ ଏଭଳି କରି ନ ଥିବ ବୋଲି କୁହାଯାଉଛି। ଏହି ଅଞ୍ଚଳ ଭାଜପା ଏମ୍ପି ଜଗନ୍ନାଥ ସରକାରଙ୍କ ଲୋକସଭା ଆସନ ମଧ୍ୟରେ ଯାଉଛି। ସେହିପରି ଏଠାରୁ ତୃଣମୂଳ କଂଗ୍ରେସର ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।