ଡାକ୍ତରଖାନା କାନ୍ଥରେ ରକ୍ତର ଛିଟା, ବହୁ ଲୋକଙ୍କ ହାତଗୋଡ ନାହିଁ, ପଡି ରହିଛି ମୁଣ୍ଡ ନ ଥିବା ମୃତଦେହ…

ଜେରୁଜେଲମ, ୧୯।୧୦: ଗାଜାର ଅଲ-ଅହଲି ଡାକ୍ତରଖାନା ଉପରେ ଆକ୍ରମଣ ପରେ ଏହା ପରିସରରେ ମୃତଦେହ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି। ଆହତ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କାହାର ହାତ ନାହିଁ, କାହାର ଗୋଠ ନାହିଁ। ଦେହ ସାରା ଖଣ୍ଡିଆ ଖାବରା। ହଠାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଅନ୍ଧାରରେ ଡାକ୍ତରମାନେ ଆନାସ୍ଥେସିଆ ବିନା ଚଟାଣରେ ଲୋକଙ୍କ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଉଛନ୍ତି।

ଚିକିତ୍ସା ସାମଗ୍ରୀ ଅଭାବରୁ ଡାକ୍ତରଖାନାର ଅବସ୍ଥା ପୂର୍ବରୁ ଖରାପ ଥିଲା। ଏବେ ଆକ୍ରମଣ ପରେ ସ୍ଥିତି ସଙ୍କଟ ଜନକ ହୋଇ ପଡ଼ିଛି। ଡାକ୍ତରଖାନାର କାନ୍ଥରେ ରକ୍ତର ଛିଟା ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ ସର୍ଜନ ଘାସାନ ଆବୁ ସୀତା କହିଛନ୍ତି ତାଙ୍କ ଅପରେଟିଂ ରୁମର ଛାତ ଜୋରରେ ମାଡ ହୋଇଥିଲା। ସଭିଏଁ ଭୟରେ ଦୌଡି ବାହାରକୁ ପଳାଇ ଆସିଥିଲେ। ଡାକ୍ତରଖାନା ପରିସରରେ ଖଣ୍ଡିଆ ହାତ ଗୋଡ ପଡି ରହିଥିଲା। କେତେକ ମୃତଦେହର ମୁଣ୍ଡ ନ ଥିଲା। ଅର୍ଥୋପେଡିକ ସର୍ଜରୀର ମୁଖ୍ୟ ଫାଦେଲ ନାଏମ କହିଛନ୍ତି ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। ଆମ ପାଖରେ ସେମାନଙ୍କ ପାଇଁ ଔଷଧର ଅଭାବ ରହିଛି। ଆମେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ। ଆହତଙ୍କ ସଂଖ୍ୟା ବହୁ ଅଧିକ ଥିବାବେଳେ ଆମ ଡାକ୍ତରୀ ଦଳ ସଂଖ୍ୟା ବହୁତ ଛୋଟ।

ଅଲ-ଅହଲି ଡାକ୍ତରଖାନା ବିସ୍ଫୋରଣରେ ସାଉଦି ଆରବ, ୟୁଏଇ, ବହାରେନ, ଇଜିପ୍ଟ, ଜୋର୍ଡାନ ଏବଂ ତୁର୍କୀ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ମୃତ୍ୟୁ ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି।

ମିଳିତ ଜାତିସଂଘ କହିଛି ଏହି ଆକ୍ରମଣ ଅନ୍ତର୍ଜାତୀୟ ମାନବିକ ନିୟମର ଉଲ୍ଲଂଘନ । ଯେଉଁମାନେ ଏହି ଏହା କରିଛନ୍ତି ସେମାନେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଉତ୍ତରଦାୟୀ ହେବେ। ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ଏହି ଘଟଣା ନେଇ ମୁଁ ର୍‌ ମର୍ମାହତ, ଦୁଃଖିତ ଏବଂ ବିବ୍ରତ।

Share