ବ୍ରିଜ୍‌ ଉପରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବରଗଡ଼ ଅଫିସ,୨୯ା୭: ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ବ୍ରିଜ ଉପରେ ଗୁରୁବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ସେ ଭେଡେନ ଥାନା ଥୁଆପାଲି ଅଞ୍ଚଳର ମୂଳ ବାସିନ୍ଦା ଏବଂ ବରଗଡ଼ରେ ରହୁଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି ମେଣ୍ଢାଚୋରିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ଏକ ବାଇକ୍‌ ଥିବାବେଳେ ସେହି ବାଇକଟି ମୃତକଙ୍କ ଜଣେ ସମ୍ପର୍କୀୟଙ୍କ ବୋଲି ଲୋକେ କହୁଛନ୍ତି। ଗତ କିଛିଦିନ ହେଲା, କୁରୁଆଁ ଗ୍ରାମରୁ ମେଣ୍ଢାଚୋରି ହୋଇ ଆସୁଥିଲା ଏବଂ ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପପୁଅଙ୍କୁ ଥାନାକୁ ଆଣି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

Share