ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସ : ମନେ ପଡ଼ିଲା ୫୮ ବର୍ଷ ତଳର ପେରୁରେ ହୋଇଥିବା ସମାନ ଘଟଣା, ୩୨୦ ଜଣଙ୍କ ଯାଇଥିଲା ଜୀବନ…

ଜାକର୍ତ୍ତା,୨।୧୦ : ଏକ ଫୁଟବଲ ମ୍ୟାଚ ସମୟରେ ଇଣ୍ଡୋନେସିଆର ଭୟଙ୍କର ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଯନ୍ତ୍ରଣାଦାୟକ ଘଟଣାରେ ୧୭୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଲୋକ ଗୁରୁତର ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ଏହି ହିଂସାତ୍ମକ ଘଟଣା ପୁରୁଣା ସ୍ମୃତିକୁ ଫେରାଇ ଆଣିଛି। ଏହା ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସକୁ ପୁଣି ତାଜା କରିଛି। ୫୮ ବର୍ଷ ପୂର୍ବେ ୧୯୬୪ ମେ ୨୪ରେ ପେରୁର ଜାତୀୟ ଷ୍ଟାଡିୟମରେ ମ୍ୟାଚ ପରେ ଆରମ୍ଭ ହୋଇଥିବା ହିଂସାରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ପେରୁର ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚ ଆର୍ଜେଣ୍ଟିନା ଏବଂ ପେରୁ ମଧ୍ୟରେ ହୋଇଥିଲା। ଟୋକିଓ ଅଲିମ୍ପିକ୍ସରେ ନିଜର ସ୍ଥାନ ସୁଦୃଢ଼ କରିବାକୁ ଉଭୟ ଦଳ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଶେଷ ହେବାର ୨ ମିନିଟ ପୂର୍ବରୁ ଆର୍ଜେଣ୍ଟିନା ୧-୦ ରେ ଆଗୁଆ ରହିଥିଲା। ତା’ପରେ ପେରୁ ଗୋଲ କରିଥିଲା। କିନ୍ତୁ ମ୍ୟାଚ ରେଫରି ଗୋଲକୁ ଅମାନ୍ୟ ଘୋଷଣା କରିଥିଲେ। ଏହା ପେରୁକୁ ଅଲିମ୍ପିକ୍ସରୁ ବାଦ ଦେଇଥିଲା ।

ପେରୁ ଅଲିମ୍ପିକ୍ସ ବାହାରି ଯିବାରୁ କ୍ରୋଧିତ ପେରୁଆ ପ୍ରଶଂସକମାନେ ପଡ଼ିଆ ମଝିକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବା ଆରମ୍ଭ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ଗୁଳି ଚଳାଇ ଦୁଷ୍କର୍ମକାରୀଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ। ଏହା ଯୋଗୁ ଦଳାଚକଟା ଆରମ୍ଭ ହୋଇଥିଲା। ଷ୍ଟାଡିୟମର ଗେଟ ବନ୍ଦ ଥିବାରୁ ଲୋକମାନେ ବାହାରକୁ ଯିବାକୁ ସୁଯୋଗ ପାଇ ନଥିଲେ। ଏହି କାରଣରୁ ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share