ଘରେ ପଶି ଆସିଥିବା ସଶସ୍ତ୍ର ରୁଷିଆ ସେନାକୁ ତଡ଼ିଦେଲେ

କ୍ୱିଭ,୧୧।୩: ୟୁକ୍ରେନର ଏକ ଦମ୍ପତି ସଶସ୍ତ୍ର ରୁଷିଆ ଯବାନଙ୍କ ଏକ ଗ୍ରୁପ୍‌ ଆଗରେ ସାହାସିକତାର ପରିଚୟ ଦେଇଛନ୍ତି। ବେସରକାରୀ ସମ୍ପତି ମଧ୍ୟକୁ ପଶି ଆସିଥିବା ସୈନ୍ୟଙ୍କୁ ବୃଦ୍ଧ ଦମ୍ପତି ବିନା କୌଣସି ଅସ୍ତ୍ରରେ ଘରୁ ତଡ଼ି ଦେଇଥିଲେ। ଦମ୍ପତିଙ୍କ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ପୂରା ଘଟଣା। ବୁଧବାର ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓକୁ ଏପର୍ଯ୍ୟନ୍ତ ୧.୬ ନିୟତ ୟୁଜର୍ସ ଦେଖି ସାରିଲେଣି।

ୟୁକ୍ରେନର ମ୍ୟାକୋଲାୟିଭ ଓବ୍ଲାଷ୍ଟ ପ୍ରୋଭିନ୍ସର ଭୋଜନେସେନସ୍କ ଗାଁର ଏକ ଘରକୁ ପଶି ଯାଇଥିଲେ ରୁଷିଆର କିଛି ସୈନ୍ୟ। ୩ ଯବାନ ଘର ପରିସରକୁ ପ୍ରବେଶ କରିଥିବା ବେଳେ ଚତୁର୍ଥ ଯବାନ ଘର ବାହାରେ ଅପେକ୍ଷା କରିଥିଲେ। ତା’ ପରେ ସେମାନେ ୟୁକ୍ରେନ ସୈନ୍ୟଙ୍କୁ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ବିରୋଧ କରିବା ସହ ଘରୁ ଚାଲି ଯିବାକୁ କହିଥିଲେ ବୃଦ୍ଧ ଦମ୍ପତି। ଜଣେ ରୁଷିଆ ଯବାନ ଫାଙ୍ଖା ଗୁଳି ଚଳାଇ ଦମ୍ପତିଙ୍କୁ ଭୟବିତ କରିବାକୁ ଉଦ୍ୟମ କରିଥିଲେ। ଏହାସତ୍ତ୍ୱେ ପଛ ଘୁଞ୍ଚା ନ ଦେଇ ଯୁକ୍ତିତର୍କ କରିଥିଲେ ବୃଦ୍ଧ ଯୋଡ଼ି। କିନ୍ତୁ ଶେଷରେ ରୁଷିଆ ଯବାନମାନେ ଘର ବାହାରକୁ ଚାଲିଯାଇଥିଲେ, ଯାହାକି ସିକ୍ୟୁରିଟି ଫୁଟେଜରେ ଦେଖିବାକୁ ମିଳିଛି। ୟୁକ୍ରେନ ଦମ୍ପତିଙ୍କ ସାହସିକତାକୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ପ୍ରଶଂସା କରିଛନ୍ତି।

Share