ସୀମାରେ ରକ୍ତାକ୍ତ ସଂଘର୍ଷ

ବାକୁ/ୟୋରଭାନ୍‌, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍‌ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ଏହି ଦୁଇ ପଡ଼ୋଶୀ। ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ନିହତ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍‌ୟାନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଆର୍ମେନିଆର ଜର୍ମୁକ୍‌, ଗୋରିସ୍‌, କପାନ୍‌ ସମେତ ଅନେକ ସହରକୁ ଆଜରବୈଜାନ ଟାର୍ଗେଟ କରିଛି। ନାଗୋର୍ନୋ-କାରାବାଖ୍‌ର ବର୍ତ୍ତମାନ ସ୍ଥିତି ଉପରେ ବୁଝାମଣା ପାଇଁ ଆର୍ମେନିଆ ରାଜି ନ ହେବାରୁ ଆଜରବୈଜାନ ଆକ୍ରମଣ କରିଥିବା ସେ କହିଛନ୍ତି। ତେବେ ଆଜରବୈଜାନ ଏଥିପାଇଁ ଆର୍ମେନିଆକୁ ଦାୟୀ କରିଛି। ଆର୍ମେନିଆ ପ୍ରଥମେ ଆକ୍ରମଣ କରିବାରୁ ଆଜରବୈଜାନ ଆତ୍ମରକ୍ଷା କରୁଥିବା କହିଛି।
ରୁଷିଆ, ଇରାନ୍‌ ଆଦି ଦେଶ ସମେତ ୟୁରୋପୀୟ ସଂଘ ତୁରନ୍ତ ଅସ୍ତ୍ରବିରତି ପାଇଁ ନିବେଦନ କରିଛନ୍ତି। ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଚିନ୍ତାଜନକ। ସାମରିକ ବଳ ଦ୍ୱାରା ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଯୁଦ୍ଧବିରତି ବୁଝାମଣା ପାଇଁ ଉଭୟ ପକ୍ଷ ଆଲୋଚନା କରନ୍ତୁ ବୋଲି ଆର୍ମେନିଆର ବନ୍ଧୁ ରାଷ୍ଟ୍ର ରୁଷିଆ କହିଛି। ଦୁଇ ପୂର୍ବ ସୋଭିଏଟ୍‌ ରାଷ୍ଟ୍ର ମଧ୍ୟରେ ବିବାଦ ଦୂର କରିବା ପାଇଁ ମସ୍କୋ ସବୁପ୍ରକାର ଚେଷ୍ଟା କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ବାହାର କରିବାକୁ ସୀମାନ୍ତ ଦେଶ ଇରାନ୍‌ ନିବେଦନ କରିଛି। ୟୁରୋପୀୟ ୟୁନିୟନ(ଇୟୁ)ର ବିଦେଶ ନୀତି ମୁଖ୍ୟ ଜୋସେପ୍‌ ବୋରେଲ ପୂର୍ବ ଅସ୍ତ୍ରବିରତି ଚୁକ୍ତିକୁ ଉଭୟ ପକ୍ଷ ସମ୍ମାନ ଜଣାଇ ସଂଘର୍ଷ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସମାଧାନର ତ୍ୱରିତ ରାସ୍ତା ବାହାର କରିବାକୁ ଏକ ସ୍ବତନ୍ତ୍ର ଇୟୁ ଟିମ୍‌ ସେଠାକୁ ଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଆର୍ମେନିଆ ଆଜରବୈଜାନକୁ ଉସୁକାଉଥିବା ତୁର୍କୀ କହିଛି। ଏହା ବଦଳରେ ଆର୍ମେନିଆ ଅସ୍ତ୍ରବିରତି କରିବା ସହ ଶାନ୍ତି ଆଲୋଚନା ପାଇଁ ଆଗକୁ ଆସୁ ବୋଲି ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ମେଭ୍‌ଲୁଟ୍‌ କାଭୁସୋଲ୍‌ଗୁ କହିଛନ୍ତି।

Share