ପୁରୀ ଅଫିସ, ୭।୧୧: ସମ୍ମାନଜନକ ବ୍ଲୁ ଫ୍ଲାଗ ମାନ୍ୟତା ପାଇଥିବା ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ଶୁକ୍ରବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କାଫେଟେରିଆ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିବା ସହ ଖୁବ୍ଶୀଘ୍ର ଏହା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବ୍ଲୁ ଫ୍ଲାଗ ବିଚ୍ରେ କାଫେଟେରିଆ ପରିଚାଳନା ନିମନ୍ତେ ଓଟିଡିସିକୁ ସୁଯୋଗ ଦେଇଥିବାରୁ ଅଧ୍ୟକ୍ଷା ମିଶ୍ର ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଏହି କାଫେଟେରିଆ ପର୍ଯ୍ୟଟକଙ୍କୁ ପୁରୀ ବେଳାଭୂମିକୁ ଉପଭୋଗ କରିବାରେ ସହାୟକ ହେବ ବୋଲି ସେ କହିଥିଲେ। ସ୍ବର୍ଣ୍ଣିମ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଧ୍ୟକ୍ଷା ମିଶ୍ର କୃତଜ୍ଞତା ଜଣାଇଥିଲେ।
କାଫେଟେରିଆ ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍. ଯାଦବ କହିଛନ୍ତି, ଏଠାରେ ପର୍ଯ୍ୟଟକମାନେ ନିଜ ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକଙ୍କୁ ପରଷାଯିବ। ବିଶେଷକରି ଏହି କାଫେଟେରିଆରେ ବାଲିପ୍ରନ, ସାଣ୍ଡୱିଚ୍, ବେବିକର୍ନ, ଚିକେନ ପକୋଡ଼ା, ହୁକା ନୁଡୁଲ୍ସ, ଭେଜ ପକୋଡ଼ା, ପନିର ପକୋଡ଼ା ସହିତ ଆଇସକ୍ରିମ୍, ମିନେରାଲ ୱାଟର, ଚା ଓ କଫି ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।