ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ବ୍ଲୁପ୍ରିଣ୍ଟ୍‌

ଭୁବନେଶ୍ୱର,୨୬।୨(ସତ୍ୟଜିତ୍‌ ରାଉତ):ରାଜଧାନୀର ଆପାର୍ଟମେଣ୍ଟଗୁଡିକରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି। ଏଥିପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଚାଲିଥିବା ଦୁଇଦିନିଆ ବୈଠକ ରବିବାର ଶେଷ ହୋଇଛି। ବୈଠକର ଦ୍ୱିତୀୟ ଦିନରେ ୨୮୫ଜଣ ଆପାର୍ଟମେଣ୍ଟ ମାଲିକ, ସୋସାଇଟି ସଭାପତି, ସମ୍ପାଦକଙ୍କ ସହ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଆଲୋଚନା କରିବା ସହ ବିଭିନ୍ନ ଦିଗକୁ ନେଇ ପରାମର୍ଶ ଦେଇଥିଲେ। ଆପାର୍ଟମେଣ୍ଟର ପାଚେରି ଉଚ୍ଚ କରିବା ସହ ଲୁହା ଫେନ୍‌ସିଂ ଲଗାଇବାକୁ କୁହାଯାଇଛି। ଆପାର୍ଟମେଣ୍ଟଗୁଡିକରେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟଧାରାରେ ବାସିନ୍ଦାମାନେ ସନ୍ତୁଷ୍ଟ ନାହାନ୍ତି। ସିକ୍ୟୁରିଟି ଗାର୍ଡ ଯୋଗାଉଥିବା ଏଜେନ୍ସଗୁଡିକ ସ୍ବୀକୃତିପ୍ରାପ୍ତ କି ନୁହେଁ ସେନେଇ ଆପାର୍ଟମେଣ୍ଟ ମାଲିକମାନେ ଜାଣିପାରୁନାହାନ୍ତି। ତେଣୁ ଲାଇସେନ୍ସପ୍ରାପ୍ତ ସିକ୍ୟୁରିଟି ଏଜେନ୍ସିର ତାଲିକା କମିଶନରେଟ୍‌ ପୋଲିସର ୱେବ୍‌ସାଇଟ୍‌ରେ ରହିବ। ଆପାର୍ଟମେଣ୍ଟ ମାଲିକମାନେ ଉକ୍ତ ତାଲିକା ଦେଖି ଏଜେନ୍ସି ସହ ଯୋଗାଯୋଗ କରି ଉତ୍ତମ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରିବେ। ଏଥିସହ ଚୋରି ରୋକିବାକୁ ଟେକ୍ନୋଲୋଜିର ବଡ଼ ଭୂମିକା ଥିବାରୁ ଏହାକୁ ଗୁରୁତ୍ୱର ସହ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ଆପାର୍ଟମେଣ୍ଟରେ ସିସିଟିଭି ଲାଗିଥିଲେ ମଧ୍ୟ ଉକ୍ତ କ୍ୟାମେରା ଦ୍ୱାରା ଲୋକମାନଙ୍କୁ ଚିହ୍ନିବାରେ ସମସ୍ୟା ରହୁଛି। ତେଣୁ ଉତ୍ତମମାନର ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସିସିଟିଭିରେ ମୋଶନ୍‌ ସେନ୍ସର ଟେକ୍ନୋଲୋଜି ଲଗାଇବାକୁ ପଡ଼ିବ। ଏହାଦ୍ୱାରା ଆଲାରାମ୍‌ ବାଜିବ, ଫଳରେ ସୁରକ୍ଷାକର୍ମୀ ତତ୍ପର ହୋଇପାରିବେ। ଏ ସମସ୍ତ ଦିଗକୁ ନେଇ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଗାଇଡଲାଇନ୍‌ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ମଧ୍ୟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ବଜାରକୁ ଆସିଥିବା ନୂଆ ଡିଭାଇସ୍‌ ବାହାଦୂର ସେନ୍ସର ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘରକୁ କୌଣସି ଲୋକ ପ୍ରବେଶ କରିବା ପରେ ଡିଭାଇସ୍‌ ପକ୍ଷରୁ ୫ଟି ମୋବାଇଲ ନମ୍ବରକୁ କଲ୍‌ ଯିବ। ଫଳରେ ଘର ମାଲିକ ତୁରନ୍ତ ପଦକ୍ଷେପ ନେଇ ଚୋରି ରୋକିପାରିବେ। ସମସ୍ତ ପାଟ୍ରୋଲିଂ ଗାଡିରେ ଜିପିଏସ୍‌ ଲଗାଯିବ। ଫଳରେ ପାଟ୍ରୋଲିଂ ଗାଡିଗୁଡିକ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଉଛନ୍ତି କି ନାହିଁ ଆମେ ଜାଣିପାରିବୁ ବୋଲି ପୋଲିସ କମିଶନର ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଥାନା ଅଧିକାରୀ, ଜୋନ୍‌ ଏସିପିଙ୍କ ପୋଲିସ କମିଶନର ଆଲୋଚନା କରିଥିଲେ। ମାମଲାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଆଦି ଦିଗକୁ ନେଇ ଅଧିକାରୀମାନଙ୍କୁ ସିପି ପରାମର୍ଶ ଦେଇଥିଲେ।

Share