ସମ୍ଭାବ୍ୟ ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲକଲା ବିଏମ୍‌ସି

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ): ଅକ୍ଟୋବର ୩ ପର୍ଯ୍ୟନ୍ତ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି। ଶନିବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ଷାଜନିତ ଜଳବନ୍ଦୀ ତଥା ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲା ଯିବା ସହ ବିଏମ୍‌ସିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜଳବନ୍ଦୀ, ଗଛ ପଡିବା କିମ୍ବା କୌଣସି ଅସୁବିଧା ହେଲେ ନାଗରିକମାନେ ୧୯୨୯ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସମସ୍ତ ଜୋନାଲ ଡେପୁଟି କମିଶନରମାନେ ଖାଲୁଆ ଅଞ୍ଚଳ ଚିହ୍ନଟ କରିବା, ବିଇଓ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋନଚା କରି ଆଶ୍ରୟସ୍ଥଳଗୁଡିକୁ ପ୍ରସ୍ତୁତ ରଖିବା, ସ୍ଥାନୀୟ କର୍ପୋରେଟରଙ୍କୁ ସାମିଲ କରି ୱାର୍ଡ ସ୍ତରରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ଡ୍ରେନ ଭଲ ଭାବେ ସଫା ହୋଇଛି କି ନାହିଁ ତାହା ତଦାରଖ କରି ଡ୍ରେନରେ ଥିବା ଜାଲିଗୁଡିକୁ ଉଠାଇ ଦେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଅଞ୍ଚଳ ଚିହ୍ନଟ କରିବା ସହ ଆବଶ୍ୟକ ସଂଖ୍ୟାରେ ପମ୍ପସେଟ୍‌, ଜେନେରେଟର ମହଜୁଦ୍‌ ରଖିବାକୁ କୁହାଯାଇଛି। ଆଗୁଆ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖିବା, ଜଳବନ୍ଦୀ ଅଞ୍ଚଳରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘର ବା ନିର୍ମାଣ ଉପରେ ସତର୍କ ନଜର ରଖିବା, ଡ୍ରେନ୍‌ ଉପରେ ପାଣି ଚାଲିବା ସମ୍ଭାବନା ଥିବା ଅଞ୍ଚଳରେ ବାଉଁଶ ବ୍ୟାରିକେଡ୍‌ କରିବା ଏବଂ ସିଟି ଓମେନ୍ସ କଲେଜ ନିକଟରେ ହେଉଥିବା ଜଳବନ୍ଦୀ ମୁକାବିଲା ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହିପରି ସଫେଇ ଏଜେନ୍ସି ଓ ବିଏମ୍‌ସିର ଟିମ୍‌ ସାନିଟେଶନକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର ଡ. ମନୋରଞ୍ଜନ ସାହୁଙ୍କ ସମେତ ସମସ୍ତ ଡେପୁଟି କମିଶନର,୩ ଜୋନାଲ ଡେପୁଟି କମିଶନର, ଟ୍ରାଫିକ ଡିସିପି, ଓଡ୍ରାଫ କମାଣ୍ଡାଣ୍ଟ୍‌, ସୁପରିଟେଣ୍ଡିଂ ଇଞ୍‌ିନିୟର, ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ, ସୁପରିଟେଣ୍ଡିଂ ଇଂଜିନିୟର ଟିପିସିଓଡିଏଲ୍‌, ନିର୍ବାହୀ ଯନ୍ତ୍ରୀ-ବିଏମ୍‌ସି ବିଦ୍ୟୁତ୍‌ ବିଭାଗ, ଜେନେରାଲ ମ୍ୟାନେଜର ୱାଟ୍‌କୋ ଡିଭିଜନ-୧ ଓ ଡିଭିଜନ-୨, ଏଡିୟୁପିଏଚ୍‌ଓ, ସିଏମ୍‌ଏମ୍‌ଓ ପ୍ରମୁଖ ଉପସ୍ଥିତ ଥିଲେ।

Share