ବ୍ୟାଙ୍କ ତଥ୍ୟ ଦେବାକୁ ବିଏମ୍‌ସି ଡେପୁଟି କମିଶନର, ଅଭିନେତ୍ରୀଙ୍କୁ ନୋଟିସ

ଭୁବନେଶ୍ୱର,୩।୨(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକ ଓ ଅଭିନେତ୍ରୀ ପ୍ରିୟଙ୍କା ଦାସ ଉଭୟ ପରସ୍ପରଙ୍କ ବିରୋଧରେ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ କରିବା ସହ ପ୍ରମାଣ ଯୋଗାଡ କରିବାରେ ଲାଗିଛି। ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଆର୍‌ପିସି ୧୬୪ରେ ଅଭିଯୋଗକାରିଣୀ ପ୍ରିୟଙ୍କାଙ୍କ ବୟାନ ରେକର୍ଡ କରିଛି। ଅନ୍ୟପକ୍ଷରେ ୧୫ଦିନ ମଧ୍ୟରେ ଉଭୟଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ତଥ୍ୟ ଦେବାକୁ ଉଭୟଙ୍କୁ ନୋଟିସ କରାଯାଇଥିବା ଜୋନ-୨ ଏସିପି ଅନିରୁଦ୍ଧ ରାଉତରାଏ କହିଛନ୍ତି। ଏହାସହ ଆଲ୍‌ବମ୍‌ ହୋଇଛି କି ନାହିଁ ତାହାର ମଧ୍ୟ ତଥ୍ୟ ମଗାଯାଇଛି ବୋଲି ସେ କହିଛନ୍ତି।
ଅଭିନେତ୍ରୀ ପ୍ରିୟଙ୍କାଙ୍କ ଅଭିଯୋଗ ଅନୁଯାୟୀ, ସେ ଗତ ସୋମବାର ଘରେ ଥିବାବେଳେ ଡେପୁଟି କମିଶନର ଯୋଗେଶ୍ୱର ଜୋରଜବରଦସ୍ତ ତାଙ୍କ ଘରେ ପଶି ଟଙ୍କା ମାଗିବା ସହ ଅସଦାଚରଣ କରିଥିଲେ। ସେହିଭଳି ବିଏମ୍‌ସି ଅଧିକାରୀ ନାୟକ ତାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ବ୍ୟବସାୟରେ କ୍ଷତି ହେବାରୁ ପ୍ରିୟଙ୍କା ତାଙ୍କଠାରୁ ୪ ଲକ୍ଷ ନେଇଥିଲେ। ସେହି ଟଙ୍କା ମାଗିବାକୁ ଯିବାରୁ ମିଛ ଅଭିଯୋଗ ଆଣିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଳଜ କରିଥିଲେ। ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ୨ଟି ମାମଲା ରୁଜୁ କରାଯାଇଛି ।

Share