ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫.୪୩ ଲକ୍ଷ ଦେଲା ବିଏମ୍‌ସି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବିଏମସି ମେୟର ସୁଲୋଚନା ଦାସ, ଡେପୁଟୀ ମେୟର ମଞ୍ଜୁଲତା କଅଁରଙ୍କ ସହ ବିଏମ୍‌ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଥିବା ବିରଞ୍ଚତ୍ ନାରାୟଣ ମହାସୁପକାର, ମହାମାୟା ସ୍ବାଇଁ, ମିହିର କୁମାର ରାଉତ, ପ୍ରେମାନନ୍ଦ ଜେନା ଓ କର୍ପୋରେଟର ଅଜିତ୍‌ କୁମାର ବେହେରା ଏବଂ ସନ୍ତୋଷ ସିଂଙ୍କ ସମେତ ଅନ୍ୟ କର୍ପୋରେଟରମାନେ ସୋମବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରଦାନ ପରିପ୍ରେକ୍ଷୀରେ ମେୟର ଦାସ କହିଛନ୍ତି ଯେ, ବାଲେଶ୍ୱର ବାହାନଗା ବଜାର ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଦୁର୍ଘଟଣାଗ୍ରସ୍ତ ତଥା ମୃତକଙ୍କ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିବା ସହ ରିଲିଫ ଓ ଥଇଥାନ ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଏମ୍‌ସି ତରଫରୁ ସମସ୍ତ କର୍ପୋରେଟର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଦୁର୍ଘଟଣା ପ୍ରଭାବିତଙ୍କ ପରିବାରଙ୍କୁ ଏହି କଷ୍ଟକର ସମୟରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି।

Share