Categories: ମେଟ୍ରୋ

ବିଏମସିକୁ ମିଳିଲା ‘ସ୍କଚ୍‌ ଆୱାର୍ଡ’

ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ’ ମିଳିଛି। ବୈପ୍ଲବିକ ଇଣ୍ଟିଗ୍ରେଟେଡ୍‌ ସାନିଟେଶନ ସିଷ୍ଟମ (ସଫା) ଭୁବନେଶ୍ୱର ଆପ୍‌ ପାଇଁ ସ୍କଚ୍‌ ପୁରସ୍କାର ବା ‘ସୁବର୍ଣ୍ଣ ମାନକ’ ହାସଲ କରିବାକୁ ବିଏମ୍‌ସି ସକ୍ଷମ ହୋଇଛି। ଏହା ମହାନଗର ନିଗମବାସୀ ଶ୍ରେୟ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। ସହରୀ ପରିମଳ ସେବାରେ ନବସୃଜନ ଏବଂ ଉତ୍କର୍ଷତା ପାଇଁ ବିଏମ୍‌ସିର ଉଦ୍ୟମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ସହର ପାଇଁ ଭୁବନେଶ୍ୱରରେ ସହରୀ ପରିମଳ ସେବାକୁ ବୈପ୍ଳବିକ କରିବାରେ ସଫା ଆପ୍‌ର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି। ବିଏମସିର ଇଣ୍ଟିଗ୍ରେଟେଡ କମାଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟରରୁ ଏହି ଆପ୍‌ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନାଗରିକଙ୍କ ଅଭିଯୋଗର ସମାଧାନ କରିବାରେ ଏହା ବେଶ୍‌ ସହାୟକ ହୋଇପାରିଛି। ସଫା ଭୁବନେଶ୍ୱର ଆପ୍‌ରେ ଆବର୍ଜନା ପୃଥକତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇପାରୁଛି। ଏହି ଆପ୍‌ ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ଓ ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରୁଛି। ଏହାର ଡିଜିଟାଲ ରିପୋର୍ଟିଂ ଉପକରଣଗୁଡ଼ିକ ସମସ୍ତ ସ୍ଥାନ ତଥା ସମସ୍ୟା ଉପରେ ତତକ୍ଷଣାତ୍‌ ଅବଗତ କରାଇପାରୁଛି। ଏହା ସହିତ ଆପ୍‌ର କାର୍ଯ୍ୟକାରିତା ଡ୍ରେନ ସଫେଇ, ସ୍ବଚ୍ଛତା ମାନ ବଜାୟ ରଖିବା ଏବଂ ଜଳଜନିତ ରୋଗକୁ ରୋକିବାରେ ଯଥେଷ୍ଟ ଅବଦାନ ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀବାସୀଙ୍କୁ ସଫା ଭୁବନେଶ୍ୱର ଆପ୍‌ ଡାଉନଲୋଡ୍‌ କରି ସେବା ପାଇବାକୁ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।

Share