ଜେନେକ୍ସ ଡାଇଗ୍ନୋଷ୍ଟିକକୁ ବିଏମ୍‌ସି ପଠାଇଲା ନୋଟିସ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜେନେକ୍ସ ଡାଇଗ୍ନୋଷ୍ଟିକରେ ନକଲି କୋଭିଡ୍‌ ରିପୋର୍ଟ ଦିଆଯାଉଛି। ସମାନ ସାମ୍ପଲ ଆଇଡି ଏବଂ ଏସ୍‌ଆର୍‌ଏଫ୍‌ ଆଇଡିରେ ଏକାଧିକ ଲୋକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଭଳି ଅଭିଯୋଗ ନେଇ ଖବର ପ୍ରକାଶ ପାଇବା ପରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବୁଧବାର କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି।

୩ଦିନ ମଧ୍ୟରେ ଏନେଇ କାରଣ ଦର୍ଶାଇବାକୁ କୁହାଯାଇଛି। ତେବେ ତାଙ୍କ ଲାଇସେନ୍ସକୁ କାହିଁକି ରଦ୍ଦ କରାଯିବନି ଓ ଏପିଡେମିକ୍‌ ଡିଜିଜ୍‌ ଆକ୍ଟ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେନେଇ ବିଏମ୍‌ସି ଉତ୍ତର ମାଗିଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରା ନ ଯାଏ ତେବେ ଏହାପରେ ଉତ୍ତର ରଖିତ୍ବାକୁ ଆଉ ସୁଯୋଗ ଦିଆଯିବ ନାହିଁ ଏବଂ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ତଥାକଥିତ ଦଲାଲ କେବଳ ଆଧାର କାର୍ଡ ନମ୍ବର ନେଇ କୋଭିଡ୍‌ ରିପୋର୍ଟ ଦେଉଥିଲେ। ଏକାଧିକ ରିପୋର୍ଟରେ ସାମ୍ପଲ ଆଇଡି-୩୪୦୮୫୫୦୦୧ ଏବଂ ଏସ୍‌ଆର୍‌ଏଫ୍‌ ଆଇଡି-୨୧୩୬୨୦୨୨୭୪୫୫୫ ସମାନ ରହିଥିବାରୁ ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଛି।

Share