ଏନର୍ଜି ଅଡିଟର ନିଯୁକ୍ତ କରିବ ବିଏମ୍‌ସି

ଭୁବନେଶ୍ୱର, ୨୫।୮(ବନ୍ଦନା ସେଠୀ): ଶକ୍ତି ସଞ୍ଚୟ ନାମରେ ବିଏମ୍‌ସିରେ ହରିଲୁଟ୍‌ ଚାଲିଛି। ଏନେଇ ନିୟୋଜିତ ସଂସ୍ଥାକୁ କେହି ଜଗିବାକୁ ନ ଥିବାରୁ ସେମାନେ ମନଇଚ୍ଛା କାମ କରୁଛନ୍ତି। ଦୀର୍ଘ ୧୦ବର୍ଷ ଧରି ବିଏମ୍‌ସିରେ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର ନିଯୁକ୍ତ ନ ଥିବାରୁ ଠିକା ସଂସ୍ଥା ତାର ମନମାନୀ କରୁଛି। ତେବେ ଏନେଇ ବିଏମ୍‌ସି କର୍ପୋରେସନ ବୈଠକରେ ଆଲୋଚନା ହେବା ସହ ବାରମ୍ବାର ଦାବି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରେ ବିଏମ୍‌ସି ଏବେ ଏନର୍ଜି ଅଡିଟର ନିଯୁକ୍ତ କରିବାକୁ ଯାଉଛି। ଏନେଇ ବିଧିବଦ୍ଧ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି। ଚଳିତମାସ ୨୯ ସୁଦ୍ଧା ଆବେଦନ କରିବାକୁ ସଂସ୍ଥାମାନଙ୍କୁ କୁହାଯାଇଛି। ଶକ୍ତି ସଞ୍ଚୟ କରିବା ଲକ୍ଷ୍ୟରେ ବିଏମସି ୨୦୧୩ ମସିହାରେ ପିପିପି ମୋଡ୍‌ରେ ‘ଏନର୍ଜି ସେଭିଂ ମୋଡ ପ୍ରକଳ୍ପ’ର ପରିକଳ୍ପନା କରିଥିଲା। ଏନେଇ ବିଏମ୍‌ସି ସୁପର ୱେଲ ଫାଇନାନ୍ସିଆଲ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ ସହ ୧୦ ବର୍ଷ ପର୍ଯ୍ୟନ୍ତ ଓ ନିଲ୍‌ ପ୍ରାଇଭେଟ ଲିମିଟେଡ ସହ ୨୦୧୭ରେ ୭ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ଏହି ଦୁଇ ଠିକା ସଂସ୍ଥା ସହରରେ ଲାଇଟ ଲଗାଇବା ସହ ସମସ୍ତ ପ୍ରକାରର ରକ୍ଷଣାବେକ୍ଷଣ କରୁଛନ୍ତି। ଚୁକ୍ତି ଅନୁଯାୟୀ, ପ୍ରକଳ୍ପ ଅନ୍ତର୍ଗତ ବିଏମ୍‌ସି ପୂର୍ବାପେକ୍ଷା ବିଜୁଳି ବିଲ ବାବଦକୁ ୮୦.୦୨ ପ୍ରତିଶତ କମ ପୈଠ କରିବ ଏବଂ ଏଥିରୁ ଅଧିକ ବିଲ୍‌ ଆସିଲେ ସମ୍ପୃକ୍ତ ସଂସ୍ଥାମାନେ ଜରିମାନା ଦେବେ। ସେହିପରି ଯଦି ସଂସ୍ଥାମାନେ ଭଲ ପ୍ରଦର୍ଶନ କରିବେ ତେବେ ସେମାନଙ୍କୁ ବିଏମ୍‌ସି ପୁରସ୍କୃତ କରିବ। ସଂସ୍ଥାର ପ୍ରଦର୍ଶନକୁ ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର (ଆଇଇଏ) ତଦାରଖ କରିବା କଥା। ସେହିପରି ସହରରେ ଲାଗିଥିବା ସମସ୍ତ ବଲ୍‌ବ କ୍ଷମତା ଅନୁଯାୟୀ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଛନ୍ତି କି ନାହିଁ, ଏଥିରେ ସ୍ବଚ୍ଛତା ରହୁଛି କି ନାହିଁ ଏହାର ହିସାବ ପାଇଁ ବର୍ଷକୁ ଦୁଇଥର ଲକ୍ସ ଲେଭେଲ ମେଜରମେଣ୍ଟ (ଏଲ୍‌ଏଲ୍‌ଏମ୍‌) ହେବା କଥା। ମାତ୍ର ଆଇଇଏ ନ ଥିବାରୁ ଏସବୁ କିଛି ହେଉ ନଥିଲା। ଏପରିକି ଠିକା ସଂସ୍ଥାମାନେ ଯାହା ରିପୋର୍ଟ ଦେଉଥିଲେ ବିଏମ୍‌ସି ତାହାକୁ ମାନି ନେଉଥିଲା। ଫଳରେ ପ୍ରତିବର୍ଷ ଶକ୍ତି ସଞ୍ଚୟ ନାମରେ ବିଏମ୍‌ସିର ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଥିଲା। ତେବେ ଆଇଇଏ ନିଯୁକ୍ତ ହେବାପରେ ଏଥିରେ ହେଉଥିବା ହେର୍‌ଫେର୍‌ର ଅନ୍ତ ଘଟିବ ବୋଲି ଆଶା କରାଯାଉଛି।

Share