ରାଜଧାନୀର ୩ଶହ ସ୍ଥାନରେ ଜଳଛତ୍ର ଖୋଲିବ ବିଏମ୍‌ସି

ଭୁବନେଶ୍ୱର,୨୧।୪ (ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଶୁକ୍ରବାରଠାରୁ ମହାନଗର ନିଗମର ସମସ୍ତ ଓ୍ବାର୍ଡରେ ଜଳଛତ୍ର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ପବ୍ଲିକ୍‌ ହେଲ୍ଥ, ପରିମଳ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ କର୍ପୋରେଟରଙ୍କୁ ୩ଟି ଲେଖାଏ ମାଠିଆ ପ୍ରଦାନ କରାଯିବ। ଏହାବାଦ୍‌ ବିଭିନ୍ନ ଅଟୋ ଆସୋସିଏଶନ୍‌, ଏସ୍‌ଏଚ୍‌ଜି, ସ୍ବେଚ୍ଛାସେବୀ ସଙ୍ଗଠନ ଆଦିକୁ ମାଠିଆ ପ୍ରଦାନ କରାଯିବ। ସହରର ପ୍ରାୟ ୩ଶହ ସ୍ଥାନରେ ବିଏମ୍‌ସି ପକ୍ଷରୁ ଜଳଛତ୍ର ଖୋଲିବ। ସକାଳୁ ଜଳଛତ୍ର ଖୋଲିବା ସହ ସେଥିରେ ପର୍ଯ୍ୟାପ୍ତ ପାଣି ରଖାଯିବ। ସ୍ବେଚ୍ଛାସେବୀମାନେ ରହି ଲୋକଙ୍କୁ ପାଣି ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବିରଞ୍ଚତ୍ ନାରାୟଣ ମହାସୂପକାର, ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ, ଡେପୁଟି କମିଶନର (ପରିମଳ) ମନୋରଞ୍ଜନ ସାହୁ, କର୍ପୋରେସନ ଡେପୁଟି କମିଶନର ସପନ ନନ୍ଦ, ସିଏଚ୍‌ଓ, ଏନ୍‌ୟୁଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ସମେତ ବିଦ୍ୟୁତ୍‌, ଓ୍ବାଟର ସପ୍ଲାଏ, ଡ୍ରେନେଜ୍‌ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଗୁରୁବାରଠାରୁ ବିଏମ୍‌ସି ପକ୍ଷରୁ ବୁଲା ଜୀବଜନ୍ତୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଖଣ୍ଡଗିରି ଏବଂ ଅନ୍ୟାନ୍ୟ ଛକ ସ୍ଥାନଗୁଡିକରେ ସେମାନଙ୍କ ପାଇଁ ପାଣିକୁଣ୍ଡ ରଖାଯାଇଛି।
ଅପରପକ୍ଷେ ବୈଠକରେ ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସହରରେ ଥିବା ୧୦ଟି ମୁଖ୍ୟ ଡ୍ରେନର ସଫେଇ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବ୍‌ଶୀଘ୍ର ଏହାକୁ ଖୋଲାଯିବ। ସେହିପରି ଅନ୍ୟ ଛୋଟ ଛୋଟ ଡ୍ରେନ୍‌ଗୁଡିକୁ ସଫା କରିବା ପାଇଁ ବିଭିନ୍ନ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୫ ତାରିଖ ପୂର୍ବରୁ ଏହା କାର୍ଯ୍ୟକାରୀ ନ ହେଲେ ଏଜେନ୍ସି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ସହରର ୩ଟି ଜୋନ୍‌ରେ ଲାଇଟ୍‌ ଲଗାଯିବା ନେଇ ପ୍ରାୟ ୬/୭ କୋଟି ଟଙ୍କାର ଟେଣ୍ଡର ଡକା ସରିଛି। ଯେଉଁ ସ୍ଥାନଗୁଡିକରେ ଲାଇଟ୍‌ ନାହିଁ ବା ଜଳୁନାହିଁ ସେଠାରେ ସ୍ଥିତିକୁ ଦେଖି ହାଇମାଷ୍ଟ କିମ୍ବା ଅନ୍ୟ ଲାଇଟ୍‌ ଲଗାଯିବ। ରାଜଧାନୀବାସୀଙ୍କ ସୁବିଧା ପାଇଁ ବିଏମ୍‌ସି ପକ୍ଷରୁ ଚେଷ୍ଟା କରାଯାଉଥିବା କୁହାଯାଇଛି।

Share