ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି। ଏହାଦ୍ୱାରା ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ଖୁବ୍‌ଶୀଘ୍ର ସହରର ବିଭିନ୍ନ ସ୍ଥାନରେ ନୋ ପାର୍କିଂ ଜୋନ୍‌ ଘୋଷଣା କରିବାକୁ ଯାଉଛି ବିଏମସି। ଏଣିକି ମନଇଚ୍ଛା ଗାଡ଼ି ପାର୍କିଂ କଲେ ବିଏମସି ସିଧାସଳଖ ସେଗୁଡିକୁ ଉଠାଇ ନେବ ଏବଂ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରିବ ବୋଲି ଜଣାପଡିଛି। ତେବେ ଏବେ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ନିର୍ବାଚନ ସରିବା ପରେ ଗାଡି ଟୋଇଙ୍ଗ୍‌ ପାଇଁ ଟେଣ୍ଡର ପ୍ରକ୍ରିୟା କରାଯିବ। ଏଜେନ୍ସି ଫାଇନାଲ ହେବାପରେ କର୍ପୋରେସନ୍‌ର ଅନୁମୋଦନ ନେଇ ସହରର କେଉଁକେଉଁ ସ୍ଥାନକୁ ନୋ ପାର୍କିଂ ଜୋନ୍‌ ଭାବେ ଘୋଷଣା କରାଯିବ ତାହା ସ୍ଥିର କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ଏଭଳି ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜମହଲ ଏବଂ ସହୀଦନଗର ଠାରେ ମଲ୍ଟି ଲେବଲ କାର୍‌ ପାର୍କିଂ (ଏମଏଲ୍‌ସିପି) ହେବାପରେ ବାଣୀ ବିହାର ଠାରୁ ମହର୍ଷି କଲେଜ୍‌ ଏବଂ ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ପାର୍କିଂସ୍ଥଳର ୫ଶହ ମିଟର ମଧ୍ୟରେ ଆଉ କେଉଁଠି ପାର୍କିଂ ରହି ପାରିବ ନାହିଁ। ତେଣୁ ନୋ ପାର୍କିଂ ଜୋନ୍‌ ମଧ୍ୟରେ ଗାଡ଼ି ରଖିଲେ ସ୍ମାର୍ଟସିଟି ପକ୍ଷରୁ ନିୟୋଜିତ ଟୋଇଙ୍ଗ୍‌ ଏଜେନ୍ସି ଗାଡ଼ି ଉଠାଇ ନେଉଛନ୍ତି। ତେବେ ଖୁବ୍‌ଶୀଘ୍ର ବିଏମ୍‌ସି ମଧ୍ୟ ଏହି ଋଣନୀତି ଆପଣାଇବାକୁ ଯାଉଥିବା ସୂଚନା ମିଳିଛି।

Share