Categories: ମେଟ୍ରୋ

ବିଏମ୍‌ସିର ଅଭିନବ ପ୍ରୟାସ: ଦୁଇ ପାର୍କିଂ ଲଟ୍‌ର ଦାୟିତ୍ୱ ନେଲେ କିନ୍ନର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳର ଦାୟିତ୍ୱ ନେଇଛନ୍ତି କିନ୍ନର ସଂଗଠନ। ରାଜମହଲ ଛକ ନିକଟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଗୁରୁବାର ଦୁଇ ପାର୍କିଂ ଲଟ୍‌କୁ ହସ୍ତାନ୍ତର କରିଛନ୍ତି। କିନ୍ନରଙ୍କ ଅନ୍ତଭୁକ୍ତୀକରଣ ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହା ଏକ ରାଜସ୍ବଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ବିଏମ୍‌ସି ନିୟମିତ ବ୍ୟବଧାନରେ ଏହାର ତଦାରଖ କରିବ ବୋଲି କମିଶନର କହିଛନ୍ତି।
ପ୍ରଥମ ପାର୍କିଂ ଲଟ୍‌ରେ ରାଜମହଲ ଛକସ୍ଥିତ ଶ୍ରୀଲେଦର ଶୋ’ରୁମରୁ ଅଶୋକା ମାର୍କେଟ୍‌ ମଧ୍ୟରେ ୪ଟି ପାର୍କିଂସ୍ଥଳୀ ରହିଛି। ଖାଦିମ୍‌ ଶୋରୁମ୍‌ରୁ ଶ୍ରୀଲେଦର ଶୋ’ରୁମ୍‌ ସମ୍ମୁଖ ପର୍ଯ୍ୟନ୍ତ, ହୋଟେଲ ରୟାଲ ମିଡ୍‌ଟାଉନରୁ ଆର୍ଯ୍ୟ ପ୍ୟାଲେସ୍‌ ପର୍ଯ୍ୟନ୍ତ, ଅଶୋକା ମାର୍କେଟରୁ ସିଟି ରେସିଡେନ୍ସି ଏବଂ ରୟାଲ୍‌ ମିଡ୍‌ ଟାଉନ୍‌ ସାମ୍ନାରୁ ଅଶୋକ ନଗରସ୍ଥିତ ନାରାୟଣ ଆୟୁର୍ବେଦ ଭବନ ଶୋରୁମ୍‌ ପର୍ଯ୍ୟନ୍ତ ପାର୍କିଂ ଲଟ୍‌ ଏଣିକି କିନ୍ନରଙ୍କ ଦ୍ୱାରା ପରିଚାଳିତ ହେବ। ସେହିଭଳି ଦ୍ୱିତୀୟ ଲଟ୍‌ରେ ମାଷ୍ଟର୍‌ କ୍ୟାଣ୍ଟିନ ଛକରୁ ଶ୍ରୀୟାଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ହୋଟେଲ୍‌ ସ୍ବସ୍ତିର ବିପରୀତ ପାର୍ଶ୍ୱ ଖାରବେଳ ନଗର ଅଞ୍ଚଳ (ଅଫ୍‌ଷ୍ଟ୍ରିଟ୍‌), ଇପାରୀ ସଦାଶିବ ଜୁଏଲେରୀ, ନରୁଲା ଜେନେରାଲ୍‌ ଷ୍ଟୋର୍‌ ସମ୍ମୁଖରୁ ପି.ସି ଚାନ୍ଦ୍‌ ପର୍ଯ୍ୟନ୍ତ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନା ଓ ହୋଟେଲ୍‌ କେଶରୀ ସମ୍ମୁଖ ପାର୍କିଂ ସ୍ଥଳ ରହିଛି। ଏହି ପାର୍କିଂ ଲଟ୍‌ଗୁଡିକ ଦୁଇମାସ ପାଇଁ ପରୀକ୍ଷାମୂଳକ ଭାବେ ଦିଆଯାଇଥିବା ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।
ଦୁଇଟି ପାର୍କିଂ ଲଟ୍‌ର ଦାୟିତ୍ୱ ନେଇଥିବା ଟିଜି ଗ୍ରୁପ୍‌ ମୁଖପାତ୍ର ମେଘନା ସାହୁ କହିଛନ୍ତି, ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ଆମେ ଯେଉଁଭଳି ପରିଶ୍ରମ କରିଛୁ, ପାର୍କିଂ ଲଟ୍‌ କାର୍ଯ୍ୟରେ ମନଲାଖି କାମ କରି ଦେଖାଇବୁ। ବିଏମସିର ରାଜସ୍ବ ଆଦାୟ ସାଙ୍ଗକୁ ଶୃଙ୍ଖଳାର ସହିତ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଲକ୍ଷ୍ୟ ରଖିଛୁ। ଏଥିପାଇଁ ବିଏମ୍‌ସି ନିକଟରେ ଆମେ କୃତଜ୍ଞ ବୋଲି ସେ କହିଛନ୍ତି।

୫ ଘଣ୍ଟା ଗାଡ଼ି ରହିଲେ ୨୦% ଅଧିକ ଫି’
କୌଣସି ବ୍ୟକ୍ତି ୫ ଘଣ୍ଟା ଗାଡ଼ି ରଖିଲେ ଘଣ୍ଟା ପ୍ରତି ୨୦% ଅଧିକ ଅର୍ଥ ଦେବାକୁ ହେବ। ଇଲେକ୍ଟ୍ରିକ୍‌ ଯାନ ପାଇଁ ୪୦% ରିହାତି ମିଳିବ। ସାଇକେଲ ପାଇଁ କୌଣସି ପାର୍କିିଂ ଫି ପଡିବ ନାହିଁ। ଏହି ପାର୍କିଂ ଲଟ୍‌ର ୫% ସ୍ଥାନ ସାଇକେଲ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ। ଧାର୍ଯ୍ୟ ଦର ବ୍ୟତୀତ ଅନ୍ୟ କୌଣସି ଫି’ ଆଦାୟ କରାଯାଇ ପାରିବ ନାହିଁ। ଟିଜି ଗ୍ରୁପ୍‌ ଏବେ ପିଓଏସ୍‌ ମେଶିନ ବ୍ୟବହାର କରି ବିଲ୍‌ ଦେବେ। ଅଳ୍ପ କିଛିଦିନ ମଧ୍ୟରେ ମେଶିନ ଓ କ୍ୟୁ ଆର୍‌ କୋଡ୍‌ ଉପଲବ୍ଧ ହେବ ବୋଲି ବିଏମ୍‌ସି ସୂଚନା ଦେଇଛି।

Share