ଜୁମ୍‌ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ

ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍‌ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ ଗର୍ଗଙ୍କୁ କମ୍ପାନୀ ଏକ ଦୀର୍ଘ ଛୁଟିରେ ପଠାଇଛି। ଜୁମ ମିଟିଂ ସମୟରେ କମ୍ପାନୀରୁ ୯୦୦ କର୍ମଚାରୀଙ୍କୁ ବହିଷ୍କାର କରିବା ବିଷୟରେ ଘୋଷଣା କରିବା ସମୟରେ ଭାରତୀୟ ମୂଳ ସିଇଓ ବିଶାଲ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ପଦକ୍ଷେପକୁ ଅନେକ ସମାଲୋଚନା କରାଯାଇଥିଲା।
ଶୁକ୍ରବାର କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟରଙ୍କ ଦ୍ୱାରା ପଠାଯାଇଥିବା ଏକ ଇ-ମେଲ ଅନୁଯାୟୀ, ଗର୍ଗ ଛୁଟିରେ ଯାଇଛନ୍ତି। ନେତୃତ୍ୱ ଏବଂ ସାଂସ୍କୃତିକ ମୂଲ୍ୟାଙ୍କନ ପାଇଁ ବେଟର.କମ୍‌ ଏକ ତୃତୀୟ ପକ୍ଷ ସ୍ବାଧୀନ ସଂସ୍ଥାର ସେବାରେ ନିୟୋଜିତ ହେବ ଏବଂ ଏହାର ସୁପାରିଶକୁ ଆଧାର କରି କମ୍ପାନୀରେ ଏକ ସକରାତ୍ମକ ଦୀର୍ଘକାଳୀନ କାର୍ଯ୍ୟ ସଂସ୍କୃତି ସୃଷ୍ଟି ହେବ ବୋଲି ମେଲରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୧ ରେ, ଜୁମ ମିଟିଂ ସମୟରେ, ଗର୍ଗ ଗୋଟିଏ ଝଟ୍‌କାରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିଲେ। କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାର ଏହା ପ୍ରାୟ ୯% ଅଟେ। ଏହି ଜୁମ କଲ ମାତ୍ର ୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟ ମଧ୍ୟରେ ବିଶାଲ ଗର୍ଗ କର୍ମଚାରୀମାନଙ୍କୁ କହିଥିଲେ, ଯଦି ଆପଣ ଏହି ସଭାରେ ଜଡିତ ଅଛନ୍ତି, ତେବେ ଆପଣ ଦୁର୍ଭାଗ୍ୟଶାଳୀ ଅଟନ୍ତି। କାରଣ ଆପଣ ଯେଉଁ ଗ୍ରୁପ୍‌ର ଅଂଶ ଅଛନ୍ତି କମ୍ପାନୀ ସେମାନଙ୍କୁ ବିଦା କରିବାକୁ ଯାଉଛି। ପରେ ଗର୍ଗ ଏନେଇ ଏକ ଚିଠି ଲେଖି କର୍ମଚାରୀଙ୍କ ପାଇଁ କ୍ଷମା ମାଗିଥିଲେ। ଏହି ଚିଠିରେ ବିଶାଲ ଗର୍ଗ ତାଙ୍କ ଭୁଲକୁ ସ୍ବୀକାର ଥିଲେ।

Share