ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ତଥା ତାଙ୍କ ପ୍ରେମିକଙ୍କୁ ସେଠାରେ ଦେଖି ହଠାତ୍‌ ବିବାହ କରି ନେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

୪ ବର୍ଷ ତଳେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ନିକଟକୁ କଲ୍‌ ଆସିଥିଲା। ଏହା ପରେ କଥାବାର୍ତ୍ତା କରିଥିଲେ ଉଭୟ ଯୁବତୀ ଯୁବକ। ପରେ ଏହି କଥା ଆଗକୁ ବଢ଼ି ପ୍ରେମରେ ପରିଣତ ହୋଇଥିଲା।

ତେବେ ଦୁଇଜଣ ଯାକ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ସେଠାରେ ତାଙ୍କ ପ୍ରେମିକଙ୍କୁ ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ଯୁବତୀ ଯୁବକଙ୍କ ପରିବାର ଏ ବିବାହ ପାଇଁ ପ୍ରସ୍ତୁତ ନ ଥିଲେ ତେଣୁ କେନ୍ଦ୍ର ନିକଟରେ ହାଇ ଭୋଲଟେଜ୍‌ ଡ୍ରାମା ହୋଇଥିଲା। ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ଥାନାକୁ ନେଇ ଜେରା କରିଥିଲା। ସେମାନେ ପରସ୍ପରକୁ ବିବାହ କରିବାକୁ ରାଜି ବୋଲି ଜାଣି ଥାନା ନିକଟରେ ଥିବା ଏକ ମନ୍ଦିରରେ ଦୁହିଁଙ୍କ ବିବାହ କରିଥିଲା। କନ୍ୟା ଗୌରୀ ଏବଂ ବର ନୀତିଶ ବର୍ତ୍ତମାନ ସ୍ତ୍ରୀ-ସ୍ବାମୀ ହୋଇସାରିଛନ୍ତି।

ସେମାନେ କୁହନ୍ତି,ପରୀକ୍ଷା ଆସନ୍ତାବର୍ଷ ଦେଇପାରିବେ। ମାତ୍ର ଜୀବନସାଥୀଙ୍କୁ ହରାଇବାକୁ ଚାହାନ୍ତି ନାହିଁ। ବିବାହ ପରେ ନବଦମ୍ପତି ପୋଲିସ ଅଧିକାରୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ନୀତିଶ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ଗୌରୀ ଏବଂ ନୀତିଶ ପରିବାର ଲୋକଙ୍କୁ ମନାଇବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି।

Share