ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮୯ ମୃତ, ବହୁ ନିଖୋଜ …

ଦାମାସକସ, ୨୪।୯ : ସିରିଆ ଉପକୂଳରେ ମଝି ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଡଙ୍ଗା ବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୮୯ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କ ଥିବା କୁହାଯାଉଛି। ଗତକାଲି ଏହି ଦୁର୍ଘଟଣା ଘଟିଛି।

ଡଙ୍ଗାଟି ଲେବାନନରୁ ପ୍ରବାସୀମାନଙ୍କୁ ନେଇ ଯାଉଥିଲା। ସିରିଆ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପୀଡିତଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି। ସେମାନେ ନିଜ ପ୍ରିୟ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ଲେବାନନରୁ ସିରିଆକୁ ଆସୁଛନ୍ତି ।

ଏହି ଦୁର୍ଘଟଣାରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସ୍ବସ୍ଥ୍ୟମନ୍ତ୍ରୀ ମହମ୍ମଦ ହାସନ ଗବାଶ କହିଛନ୍ତି। ସେମାନଙ୍କୁ ସିରିଆର ଉପକୂଳବର୍ତ୍ତୀ ସହର ତାରତୁସର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ଶୁକ୍ରବାର ତାରତୁସର ଗଭର୍ନର ଅବଦୁଲ ହଲିମ ଖଲିଲ କହିଛନ୍ତି ଯେ ସମୁଦ୍ର କୂଳରେ ଅଧିକ ମୃତଦେହଙ୍କର ଖୋଜା ଚାଲିଛି।

କୁହାଯାଉଛି ଯେ ୩୧ ଟି ମୃତଦେହ କୂଳକୁ ଆସିଥିଲା । ଅନ୍ୟ ମୃତଦେହଗୁଡ଼ିକୁ ସିରିଆ ଡଙ୍ଗା ଦ୍ୱାରା ପାଣି ଭିତରୁ ଉଦ୍ଧାର କରାଯାଇଛି। ଲାଗି ରହିଥିବା ସଙ୍କଟ ଯୋଗୁ ଲେବାନନର ଲୋକମାନେ ସମୁଦ୍ର ଦେଇ ୟୁରୋପକୁ ପଳାଇବାକୁ ଚେଷ୍ଟା କରୁଛନ୍ତି। ଲେବାନନ ସୈନ୍ୟବାହିନୀ କହିଛି ଯେ ଜଣେ ସନ୍ଦିଗ୍ଧ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସେ ସାଧାରଣ ନାଗରିକଙ୍କୁ ସମୁଦ୍ର ଦେଇ ୟୁରୋପକୁ ନେଉଥିଲେ।

Share