ତାମ୍ପରା ହ୍ରଦରେ ବୁଡ଼ିଲା ଡଙ୍ଗା : ଭାଉଜ ମୃତ, ନଣନ୍ଦ ଗୁରୁତର

ଛତ୍ରପୁର,୩।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଦେଶୀ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅଛନ୍ତି। ମୃତ ଭାଉଜ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା ଓ ଗୁରୁତର ନଣନ୍ଦ ହେଉଛନ୍ତି ବନିତା ବେହେରା।
ପୁଷ୍ପା ଓ ବନିତା ତାମ୍ପରା ହ୍ରଦର ଅପରପକ୍ଷ ଝାଉଁ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଅପରାହ୍ନରେ କାଠ ଧରି ଦେଶୀ ଡଙ୍ଗାରେ ଘରକୁ ଫେରୁଥିଲା ବେଳେ ଡଙ୍ଗାଟି ହ୍ରଦ ମଧ୍ୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚୀ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ପୁଷ୍ପାଙ୍କ ମୃତଦେହ ପାଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ବନିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛତ୍ରପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୃତ ମହିଳାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି। ଶୋକସନ୍ତପ୍ତ ପରିବାରକୁ ବିଧାୟକ ଭେଟି ସମବେଦନା ଜଣାଇଛନ୍ତି।

Share