Categories: ଜାତୀୟ

ମଝି ନଈରେ ଓଲଟିଲା ଡଙ୍ଗା

ପାଟନା,୫।୧୧: ବିହାରର ଭାଗଲପୁରରେ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିନଈରେ ଓଲଟି ପଡ଼ିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଲୋକ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୌଗଛିଆର କରାରି ତିନଟଙ୍ଗା ଦିୟାରାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗଙ୍ଗାର ଉପଧାରାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ସବାର ଥିଲେ। ଭଉଁରିରେ ପଡ଼ି ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର ହୋଇଥିବା ୧୫ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ଡଙ୍ଗାଟି ମହତୋ ବହିୟାର ଘାଟରୁ ଯାତ୍ରା ଆରମ୍ଭ କରିଥିଲା। ଦର୍ଶନିଆ ନଦୀ ସ୍ରୋତରେ ଡଙ୍ଗାଟି ଭଉଁରି ଆଡ଼କୁ ଟାଣି ହୋଇ ଯାଇଥିଲା। ନିକଟରେ କାମ କରୁଥିବା କେତେକ ଶ୍ରମିକ କିଛି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

Share