Categories: ଜାତୀୟ

ଓଲଟିଲା ଛାତ୍ରଙ୍କୁ ନେଇ ଯାଉଥିବା ଡଙ୍ଗା, ୬ ମୃତ ଉଦ୍ଧାର କାର୍ଯ୍ୟ ଜାରି

ଭଦୋଦରା,୧୮।୧: ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟ ମନ୍ତ୍ରୀ କୁବେର ଡିଂଡୋରା ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁତର ଆହତ ହୋଇଥିବା ୯ରୁ ୧୦ ଜଣ ଛାତ୍ରଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। କେତେଜଣ ଛାତ୍ର ଓ ଶିକ୍ଷକ ନିଖୋଜ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟୁଇଟ କରି କହିଛନ୍ତି, ଭଦୋଦରା ହର୍ନି ହ୍ରଦରେ ପିଲାମାନେ ବୁଡ଼ିଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ମୃତ ପିଲାମାନଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ଛାତ୍ରମାନଙ୍କ ପରିବାରର ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କୁ ସହିବାକୁ ଶକ୍ତି ଦିଅନ୍ତୁ। ଡଙ୍ଗାରେ ବସିଥିବା ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ପୀଡିତଙ୍କୁ ତୁରନ୍ତ ସହାୟତା ଏବଂ ଚିକିତ୍ସା ଯୋଗାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

Share