ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇଛନ୍ତି। ୨ଟି ଯନ୍ତ୍ର ଚାଳିତ ଡଙ୍ଗା (ଭୁଟୁଭୁଟି)ରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସହାବାଜିପୁର ଗ୍ରାମର ୧୨ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ଇଲିସି ମାଛ ମାରି ଆଗ ପଛ ହୋଇ ଫେରୁଥିବାବେଳେ ଗୁରୁବାର ସକାଳେ ସମୁଦ୍ରର ଉତ୍ତାଳ ଢେଉରେ ଗୋଟିଏ ଡଙ୍ଗା ଅନ୍ୟ ଏକ ଡଙ୍ଗାରେ ଧକ୍କା ଦେବାରୁ ତାଳସାରୀ ସମୁଦ୍ରକୂଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୨ଟି ଡଙ୍ଗାରେ ଥିବା ୧୨ ସାହସୀ ମତ୍ସ୍ୟଜୀବୀ ସମୁଦ୍ରକୁ ଡେଇଁପଡ଼ି ୩ କିମି ଦୂର ପହଁରି ପହଁରି ଅଚେତ ଅବସ୍ଥାରେ କୂଳରେ ଲାଗିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ଏମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଡଙ୍ଗାରେ ଭର୍ତ୍ତି ଥିବା ଇଲିସି ସମୁଦ୍ରରେ ବୁଡ଼ିଯାଇଥିବାବେଳେ ମତ୍ସ୍ୟଜୀବୀମାନେ ଅନ୍ୟ ଡଙ୍ଗାରେ ମାଛ ଧରାଯାଉଥିବା ଜାଲ ସହ ୨ଟି ଭଙ୍ଗା ଡଙ୍ଗାକୁ କୌଶଳ କ୍ରମେ କୂଳକୁ ଟାଣି ଆଣିଛନ୍ତି। ସମୁଦ୍ରର ଅଶାନ୍ତ ଢେଉ କୂଳ ଆଡ଼କୁ ମାଡ଼ିଆସି କୂଳରେ ଥିବା ଅନ୍ୟ ଡଙ୍ଗାରେ ମାଡ଼ ହେବାରୁ ୪ଟି ଡଙ୍ଗା ଉଣା ଅଧିକେ ଭାଙ୍ଗି ଯାଇଥିବାର ସୂଚନା ମିଳିଛି।

Share