ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ ମୃତଦେହ ଶନିବାର କୋରାପୁଟ ଓଡ୍ରାଫ୍‌ ଟିମ୍‌ ଦ୍ୱାରା ଉଦ୍ଧାର କରାଯାଇଥିବା ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ ସୂଚନା ଦେଇଛନ୍ତି। ଗୁରୁବାର ଜଳାପୁଟ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ସୁକୁଙ୍କ ମୃତଦେହ ଶନିବାର କୋରାପୁଟ ତୃତୀୟ ବାଟାଲିୟନ ଓଡ୍ରାଫ୍‌ ଟିମ୍‌ ଦ୍ୱାରା ଉଦ୍ଧାର କରାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ଦୀର୍ଘ ଦୁଇଦିନ ଧରି ନନ୍ଦପୁର ଅଗ୍ନିଶମ ବାହିନୀ ନିଖୋଜ ମୃତଦେହକୁ ପାଣିରୁ ଉଦ୍ଧାର ସଫଳ ନ ହେବାରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଓଡ୍ରାଫ ଟିମ୍‌କୁ ଡକାଯାଇଥିଲା। ଶନିବାର ସକାଳୁ କୋରାପୁଟ ଓଡ୍ରାଫ୍‌ ଟିମ୍‌ର ହାବିଲଦାର ମୋଜେଶ ଖରାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚି ଜଳାପୁଟ ଜଳଭଣ୍ଡାରରୁ ନିଖୋଜ ସୁକୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ଉଦ୍ଧାର ପରେ ଜବାଗଡ଼ ଗ୍ରାମରେ ଶୋକ ଖେଳିଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୪ ଲକ୍ଷ ତାଙ୍କର ସହାୟତା ପ୍ରଦାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁପାରିସ କରାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।

Share