ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ିବା ଘଟଣା: ୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍‌

କରାଚୀ, ୧୯ା୬: ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୨ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରିଛନ୍ତି। ୟୁରୋପୀୟ ଦେଶରେ ବେଆଇନ ଭାବେ ପ୍ରବେଶ କରିବା ଲକ୍ଷ୍ୟରେ ପ୍ରାୟ ୭୫୦ ଜଣ ଏକ ବୋଟ୍‌ରେ ଯାଉଥିବାବେଳେ ଗତ ୧୪ ତାରିଖରେ ଏହା ଗ୍ରୀସ୍‌ ଉପକୂଳରେ ବୁଡ଼ିଯାଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ବୋଲି ବିଶ୍ୱାସ କରାଯାଉଛି। ଏପର୍ଯ୍ୟନ୍ତ ୧୨ ଜଣ ପାକିସ୍ତାନୀଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଗ୍ରୀସ୍‌ ବୋଟ୍‌ ଟ୍ରାଜେଡି ପାଇଁ ପାକିସ୍ତାନରେ ଗୋଟିଏ ଦିନ ଶୋକ ପାଳନ କରାଯାଇଥିଲା। ମାନବ ଚୋରାଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରବିବାର ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ନିର୍ଦ୍ଦେଶ ଦେଇଥିଲେ। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରାଚୀ ବିମାନବନ୍ଦରରୁ ଦୁବାଇ ପଳାଇବାକୁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଥିଲେ। ଗିରଫ ବ୍ୟକ୍ତିମାନେ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ବେଆଇନ ଭାବେ ୟୁରୋପ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ଦେଶକୁ ଚୋରା ଚାଲାଣ କରୁଥିଲେ। ସେମାନଙ୍କ ବୋଟ୍‌ରେ ପଠାଇବାରେ ମଧ୍ୟ କେତେଜଣ ସମ୍ପୃକ୍ତ ଥିଲେ ବୋଲି ଡିଆଇଜି ଆଲାମ ଶିନଓ୍ବାରୀ କହିଛନ୍ତି।

Share