ଇସଲାମାବାଦ, ୧୯।୭ : ପାକିସ୍ତାନରେ ଏକ ଦୁଃଖଦ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ସୀମା ଅଞ୍ଚଳ ନିକଟସ୍ଥ ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ ସୋମବାର ସାରେ ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ନିଖୋଜମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତି ଚାଲିଥିବା ବେଳେ ସ୍ଥାନୀୟ ଲୋକ ୪୫ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ପାକିସ୍ତାନ ଖବରକାଗଜ ଦି ନ୍ୟୁଜ ମଙ୍ଗଳବାର ଏହାର ରିପୋର୍ଟରେ ଏହି ସୂଚନା ଦେଇଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ଅଧିକାରୀ କହିଛନ୍ତି। ଡଙ୍ଗାରେ କେତେକ ମହିଳା ଓ ଶିଶୁ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶୋକ ଓ ସମବେଦନା ଜଣାଇଛନ୍ତି। ସୂଚନାନୁସାରେ, ସୋଲାଙ୍ଗି ସମ୍ପ୍ରଦାୟର ଏକ ବିବାହ ଉତ୍ସବରେ ଖୋରୱାଲୀର ରୋହନ ତହସିଲର ମାଖାକା ଠାରୁ ସର୍ଦ୍ଦାରପୁର ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା।