Categories: ବାଣିଜ୍ୟ

ବିଓବିର ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୨।୩: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ଏକ ସ୍ବଳ୍ପ ଅବଧି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ। ବିଶେଷ କରି ବ୍ୟାଙ୍କ ତା’ର ଗୃହଋଣ ସୁଧ ହାରକୁ ୪୦ବେସିସ୍‌ ପଏଣ୍ଟସ୍‌ (ବିପିଏସ୍‌) ହ୍ରାସକରି ବାର୍ଷିକ ୮.୫୦% କରିଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ଋଣ ସୁଧ ହାରକୁ ମଧ୍ୟ ହ୍ରାସକରି ବାର୍ଷିକ ୮.୪୦% କରିଥିବା ଜଣାପଡ଼ିଛି। ସେହିଭଳି ବ୍ୟାଙ୍କ ମଧ୍ୟ ପ୍ରକ୍ରିୟାକରଣ ଚାର୍ଜେସ୍‌ ଉପରେ ୧୦୦% ରିହାତିର ଘୋଷଣା କରିଛି। ଏହା ସହ ଏମ୍‌ଏସ୍‌ଏମ୍‌ଇ ଲୋନ୍‌ ଉପରେ ୫୦% ପ୍ରକ୍ରିୟାକରଣ ଚାର୍ଜେସ୍‌କୁ ଛାଡ଼ କରାଯାଇଛି। ଯେଉଁ ଋଣଗ୍ରହୀତାମାନେ ନୂତନ ଗୃହଋଣ, ବାଲାନ୍ସ ଟ୍ରାନ୍ସଫର ତଥା ଗୃହ ଉନ୍ନତୀକରଣ ଲୋନ୍‌ ପାଇଁ ଆବେଦନ କରୁଛନ୍ତି। ସେମାନଙ୍କ ପାଇଁ ନୂତନ ହୋମ୍‌ ଲୋନ୍‌ ବାର୍ଷିକ ୮.୫୦% ରେ ଉପଲବ୍ଧ ରହିଛି। ଏହି ହାର ଋଣଗ୍ରହୀତାଙ୍କ କ୍ରେଡିଟ୍‌ ସ୍କୋର ସହିତ ଲିଙ୍କ୍‌ ହୋଇଥାଏ। ଏହି ଉଭୟ ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବୈଧ ରହିବ। ଏ ସମ୍ପର୍କରେ ବିଓବିର ଇଡି ଅଜୟ କୁମାର ଖୁରାନା କହିଛନ୍ତି, ଗୃହ ଋଣ ସୁଧ ହାରକୁ ହ୍ରାସକରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହା ଏକ ସ୍ବତନ୍ତ୍ର ଲିମିଟେଡ୍‌ ଅବଧି ଅଫର ୮.୫୦%ର ଘୋଷଣା କରିଛି। ଏହି ଅଫର ସହାୟତାରେ ବର୍ତ୍ତମାନ ପରିସ୍ଥିତିରେ ଗୃହ କ୍ରେତାଙ୍କ ପାଇଁ ଗୃହ କ୍ରୟ ଆହୁରି ସୁଲଭ ହୋଇପାରିବ। ସେହିଭଳି ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସୁଧ ହାରରେ ହ୍ରାସ ପୁନଶ୍ଚ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ। ଅପରପକ୍ଷରେ ଗୃହଋଣ ଆବେଦନ ପ୍ରଣାଳୀକୁ ବ୍ୟାଙ୍କ ସରଳ କରିଛି। ଏହାର ଗ୍ରାହକମାନେ ଡିଜିଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏପରିକି ମାତ୍ର ୩୦ମିନିଟ୍‌ ମଧ୍ୟରେ ଗ୍ରାହକ ଋଣ ମଞ୍ଜୁରୀ ପତ୍ର ପାଇପାରିବେ।

Share