Advertisement

ଅଧିକ ଭୋଟ୍‌ ପାଇଁ ଭୋଟରମାନଙ୍କୁ ପ୍ରଣାମ ଜଣାଇଲେ ବବି ଦାସ, କହିଲେ ଯାଜପୁର ମାଟି…

ବରୀ,୪ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ସ୍ଥାନୀୟ ବରୀ ମାଉଣ୍ଡଠାରୁ ଆରମ୍ଭ ହୋଇ ଅଟିରା ପଞ୍ଚାୟତସ୍ଥିତ ସନ୍ଥନ ମଠଠାରେ ଶେଷ ହୋଇଛି। ଏହି ଅବସରରେ ବରୀ ବ୍ଲକ୍‌ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ବରୀ ମାଉଣ୍ଡଠାରେ ଏକ ସଭା ଅନୁଷ୍ଠିତ ହୋଇଛି। ଏଥିରେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଯୋଗଦେଇ ବରୀବାସୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବରୀ ହେଉଛି ଏକ ସଂଗ୍ରାମୀ ମାଟି। ଏହି ଅଞ୍ଚଳର ସଂଗ୍ରାମୀ ଯୁବବନ୍ଧୁ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ମା’ଭଉଣୀମାନେ ୨୦୨୪ ନିର୍ବାଚନରେ ଯୁବନେତା ବିଶ୍ୱରଞ୍ଜନଙ୍କୁ ଓଡ଼ିଶାର ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ କରାଇଥିବାରୁ ସେ ଭୋଟରମାନଙ୍କୁ ମଥାନତ ପ୍ରଣାମ ଜଣାଇଛନ୍ତି।

ଆଗାମୀ ଦିନରେ ବିଧାୟକଙ୍କ ନେତୃତ୍ୱରେ ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ଯାଜପୁର ଜିଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗଦେଇ ବିଜେଡି ସରକାରକୁ ନ ଆସିବା ପର୍ଯ୍ୟନ୍ତ ଦୃଢ଼ ମନୋବଳ ନେଇ ସଂଗଠନକୁ ସୁଦୃଢ଼ କରିବା କ୍ଷେତ୍ରରେ କର୍ମୀମାନେ ଉଦ୍ୟମ ଜାରି ରଖିିବାକୁ କହିଛନ୍ତି। ଏଥିସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଗତ ଦିନ ଭଳି ବିଜୟ ବାନା ଉଡ଼ାଇବାକୁ ମତପ୍ରକାଶ କରିଛନ୍ତି।

ଏହି ପଦଯାତ୍ରା ସମାବେଶରେ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ପୂର୍ବତନ ଏମ୍‌ପି ଶର୍ମିଷ୍ଠା ସେଠୀ, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି, ଜିଲା ପରିଷଦ ସଭ୍ୟ ଦିଲୀପ ମହାନ୍ତି, ଅଶୋକ ସାମଲ, ସନ୍ତୋଷ ସାମଲ, ଯୁବ ବିଜେଡି ସଭାପତି ରଞ୍ଜନ ପଣ୍ଡା ଓ ଛାତ୍ର ବିଜେଡି ସଭାପତି ସଦିତ୍ସା ସାମଲଙ୍କ ସମେତ ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: babi dasBJD