‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ ତର୍ଜମା କରିଥାନ୍ତି। ଦିନକୁ ଦିନ ସମୟ ବିତିବା ସହ କାମ ମିଳିବା ବନ୍ଦ ହୋଇଯାଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇଥାଏ। କିଛି ଏଭଳି ଘଟିଛି ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ କ୍ଷେତ୍ରରେ।

ଜି-୫ରେ ରିଲିଜ ହୋଇଛି ଓ୍ବେବ୍‌ ସିରିଜ୍‌ ‘ଲଭ୍‌ ହଷ୍ଟେଲ’। ଏଥିରେ ବବି ନଜର ଆସୁଛନ୍ତି। ସିରିଜ୍‌କୁ ନେଇ ଏକ ସାକ୍ଷାତକାରରେ ସେ ଡିପ୍ରେସନ୍‌କୁ ନେଇ ଜୀବନର କିଛି ଘଟଣାବଳି ଉପରୁ ପରଦା ଉଠାଇଛନ୍ତି। ବବି କହିଛନ୍ତି, ୨୦୧୮ରେ ‘ରେସ-୩’ ଏବଂ ‘ହାଉସ୍‌ଫୁଲ-୪’ରେ ବଲିଉଡ୍‌କୁ ଫେରିବାକୁ ଚାହିଁଥିଲି। ହେଲେ ଉଭୟ ଫ୍ଲପ୍‌ ହୋଇଥିଲା। ପରେ ତିନି ବର୍ଷ ଧରି ମୁଁ ଡିପ୍ରେସନରେ ଥିଲି। ହେଲେ ସେହି ସମୟରେ ମୁଁ ନିଜର କ୍ଷମତା ଜାଣିଥିଲି। ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ କେବଳ ଜଣେ ମୋତେ ସହାୟତା କରିଥିଲେ। ସେ ହେଉଛି ମୁଁ। କାରଣ ଜଣଙ୍କ ପରିବାର କେବଳ ଏହି ସମୟରେ ପାଖରେ ଛିଡ଼ା ହୋଇପାରିବେ। ହେଲେ କାମ ଦେଇପାରିବେ ନାହିଁ। ଏଭଳି ସ୍ଥିତିରେ ନିଜ ଉପରେ ପୁଣିଥରେ ଭରସା କରିଥିଲି। ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ଲୋକମାନେ ମୋତେ ସ୍କ୍ରିନ୍‌ରେ ଦେଖିବାକୁ ପସନ୍ଦ କରିଥିଲେ। ଏଥିଯୋଗୁ ମୋତେ କାମ ମିଳୁଥିଲା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ କାମ କରିଥିଲି, ହେଲେ ଭୁଲ ଫିଲ୍ମ ଚୟନ କରିଥିଲି। ଏଣୁ ପରେ ଫିଲ୍ମ ମିଳି ନ ଥିଲା। ଦେଖିବାକୁ ଗଲେ ଜୀବନରେ ଅନେକ ସୁଖଦୁଃଖ ଦେଖିଛି। ମୋର ଏଭଳି ଅବସ୍ଥା ପରିବାରଲୋକେ ଦେଖିପାରୁ ନ ଥିଲେ। ସବୁ ଦେଖିବା ପରେ ପୁଣିଥରେ ଛିଡ଼ା ହୋଇ ନିଜକୁ ପ୍ରସ୍ତୁତ କରିବାକୁ ହେବ ବୋଲି ଭାବିଥିଲି। ପ୍ରଶଂସକମାନେ ମୋତେ ପରଦାରେ ଦେଖିବାକୁ ଚାହୁଁଛନ୍ତି ଚିନ୍ତା କରିଥିଲି। ତାହା ହିଁ ହୋଇଛି। ମୁଁ ଓ୍ବେବ୍‌ ସିରିଜ୍‌ ଜରିଆରେ ଫେରିଛି। ଏବେ ଲୋକେ ମୋ କାମର ପ୍ରଶଂସା କରୁଥିବା ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି।

Share