ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆର ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବର ଗୋଟିଏ ମଞ୍ଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏକାଠି ବସିବା ନେଇ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। ବିଜୟଙ୍କ ଜିଲାଗସ୍ତକୁ ନେଇ ବିଜେଡି କର୍ମକର୍ତ୍ତା ଉତ୍ସାହିତ ହୋଇପଡ଼ିଛନ୍ତି।
ପ୍ରକାଶ ଯେ, ସାଧାରଣ ନିର୍ବାଚନରେ ଜିଲାର ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଭାଜପା ଖାତାକୁ ଯାଇଛି। ନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତାମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଦୋଷତ୍ରୁଟିକୁ ସୁଧାରିବାରେ ଲାଗିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆମତ୍ ବିଶ୍ୱାସ ଏବଂ ଜିଲାରେ ସାଂଗଠନିକ ବ୍ୟବସ୍ଥାକୁ ନେଇ ପୁନର୍ବାର ଦଳର କର୍ମୀଙ୍କୁ ଏକସୂତ୍ରୀ ଯୋଜନାରେ ବାନ୍ଧିବାକୁ ଚେଷ୍ଟା କରାଯାଉଛି। ଶନିବାର ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ବବି ପଞ୍ଚାୟତ ନିର୍ବାଚନରେ ପୁନର୍ବାର ଦମ୍ ଦେଖାଇବାକୁ ପରାମର୍ଶ ଦେଇଥିଲେ। ବିରୋଧୀ ଦଳ ଭାବେ ବିଜେଡିର କାର୍ଯ୍ୟକ୍ରମ ଓ ସଭ୍ୟ ସଂଖ୍ୟା ବୃଦ୍ଧିକୁ ନେଇ ଜିଲାର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୫୨ ଜିଲା ପରିଷଦ ଆସନ ମଧ୍ୟରୁ ୪୯ଟି ମିଳିଥିବା ବେଳେ ୩ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଯାଇଥିଲା। ଭାଜପା ଖାତା ଖୋଲିବାରେ ସକ୍ଷମ ହୋଇ ନ ଥିଲା। ତେବେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ସବୁକିଛି ଓଲଟପାଲଟ କରିଦେଇଥିଲା। ପଞ୍ଚାୟତ ନିର୍ବାଚନରେ ଭାଜପାର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସାଧାରଣ ନିର୍ବାଚନରେ ବିଜେଡି ମଧ୍ୟ ସେହିଭଳି ପରିସ୍ଥିତି ସାମ୍ନା କରିଥିଲା। ଆରୋପ ପ୍ରତ୍ୟାରୋପ ମଧ୍ୟରେ କିଛି ଦିନ ବିତିବା ପରେ ଜିଲାରେ ବିଜେଡିର ସଂଗଠନକୁ ମଜବୁତ କରାଯିବା ନେଇ ପ୍ରୟାସ ହେଉଥିବା ବବିଙ୍କ ବାରମ୍ବାର ଜିଲା ଗସ୍ତ ପ୍ରମାଣିତ କରୁଛି। ମନମାଳିନ୍ୟଠୁ ଦୂରେଇ ପୁଣି ଏକାଠି ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବା ଲକ୍ଷ୍ୟ ରଖି ସଂଗଠିତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଜିଲାଗସ୍ତରେ ଆସି ମହୋତ୍ସବ ମଞ୍ଚରେ ପାଦ ଥାପିବା ଘଟଣାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଆଶାର ନୂଆ କିରଣ ଦେଖାଦେଇଛି। ବିଗତ ଦିନରେ ବିଜୟଙ୍କ ବଳିଷ୍ଠ ରାଜନୀତି ଆଜି ଦଳର ନେତୃତ୍ୱରେ ଶୂନ୍ୟସ୍ଥାନ ହୋଇରହିଛି। ତେବେ ବିଜୟଙ୍କ ପୁନର୍ବାର ଘର ବାହୁଡ଼ାକୁ ନେଇ କର୍ମୀମାନେ ଆଶାବାଦୀ ରହିଛନ୍ତି। ଅନ୍ୟପକ୍ଷରେ ଭାଜପାକୁ ଅହେତୁକ ସମର୍ଥନ ଜଣାଇଥିବା ଜିଲାବାସୀଙ୍କ ପାଇଁ ଦଳ ପକ୍ଷରୁ କୌଣସି ଆଖିଦୃଶିଆ ଯୋଜନା ଆରମ୍ଭ ହୋଇପାରିନାହିଁ। ଦଳର ସାଂଗଠନିକ ବ୍ୟବସ୍ଥା ତଦୃପ ରହିଥିବା ବେଳେ ନେତାଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଯାହାକୁ ନେଇ କର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଦଳର ମଙ୍ଗ ଧରିବାକୁ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। ଜିଲାରୁ ୨ ବିଧାୟକ ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଥିବା ବେଳେ ଦଳର ଆଗାମୀ କାର୍ଯ୍ୟପନ୍ଥା ପଛରେ ପଡ଼ିଛି। ୱାର୍ଡଠାରୁ ଆରମ୍ଭ କରି ଗଁା, ପଞ୍ଚାୟତ, ବ୍ଲକ୍ ଓ ଜିଲାସ୍ତରର ନେତାମାନେ ନିଜ ନିଜର ପତିଆରା ବଜାୟ ରଖିବାକୁ ଅପଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବିଜେଡି ସଂଗଠନକୁ ମଜୁବତ କରି ଏହାର ଫାଇଦା ନେବାକୁ ସହଜସାଧ୍ୟ ହୋଇପାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।