Categories: ବାଣିଜ୍ୟ

ବିଓବିର ନୂଆ ଯୋଜନା

ଭୁବନେଶ୍ୱର,୧୮।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଏକ ସ୍ବଳ୍ପ ମିଆଦି ଖୁଚୁରା ଜମା ଯୋଜନା ‘ବବ୍‌-୩୬୦ ଡିପୋଜିଟ୍‌ ସ୍କିମ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଯୋଜନା ୩୬୦ ଦିନ ପାଇଁ ୭.୬୦% ପର୍ଯ୍ୟନ୍ତ ସର୍ବାଧିକ ସୁଧ ପ୍ରଦାନ କରିଥାଏ। ଯେଉଁଥିରେ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଷିକ ୦.୫୦% ଅତିରିକ୍ତ ସୁଧ ହାର ଅନ୍ତର୍ଭୁକ୍ତ ରହିଛି। ଏହି ଯୋଜନାର ଆନୁଷ୍ଠାନୁକ ଶୁଭାରମ୍ଭ ହୋଇଯାଇଥିଲାବେଳେ ୨କୋଟିରୁ କମ୍‌ ଖୁଚୁରା ଜମା ପାଇଁ ଉକ୍ତ ଯୋଜନାର ସୁବିଧା ପ୍ରଯୁଜ୍ୟ ହେବ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧ବର୍ଷରୁ କମ୍‌ ପରିପକ୍ୱତାର ସ୍ଥିର ଜମା ପାଇଁ ଜମାକାରୀଙ୍କୁ ଦିଆଯାଉଥିବା ସୁଧହାର ମଧ୍ୟରେ ଏହା ସବୁଠାରୁ ଆକର୍ଷଣୀୟ ସୁଧ ହାର ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୟଦୀପ ଦତ୍ତ ରାୟ କହିଛନ୍ତି, କମ୍‌ ସମୟ ପାଇଁ ଅଧିକ ସୁଧ ହାର ଏବଂ ନିଶ୍ଚିତ ରିଟର୍ନ ଚାହୁଁଥିବା ଜମାକାରୀଙ୍କ ପାଇଁ ବବ୍‌-୩୬୦ ଏକ ଉତ୍କୃଷ୍ଟ ସୁଯୋଗ ହୋଇଥିବାବେଳେ ଏହା ବ୍ୟାଙ୍କକୁ ସ୍ଥିର ଜମାଗୁଡ଼ିକର ଅଂଶ ବୃଦ୍ଧି ଓ ଜମା ମୂଲ୍ୟକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବ। ସେହିଭଳି ବିଓବିର ବର୍ତ୍ତମାନ ଏବଂ ନୂତନ ଗ୍ରାହକମାନେ ସମଗ୍ର ଭାରତର ଯେକୌଣସି ବିଓବି ଶାଖାରେ ବବ୍‌-୩୬୦ ଖୋଲିପାରିବେ। ଏଥିସହ ବ୍ୟାଙ୍କର ନେଟ୍‌ବ୍ୟାଙ୍କିଙ୍ଗ୍‌ (ବବ୍‌ ୱାର୍ଲଡ ଇଣ୍ଟରନେଟ୍‌) ପ୍ଲାଟ୍‌ଫର୍ମ ମାଧ୍ୟମରେ ଅନ୍‌ଲାଇନ୍‌ ଏଫ୍‌ଡି ମଧ୍ୟ ଖୋଲାଯାଇପାରିବ। ଏପରିକି ବିଦ୍ୟମାନ ଗ୍ରାହକମାନେ ମୋବାଇଲ୍‌ ଆପ୍‌ (ବବ୍‌ ୱାର୍ଲଡ) ଜରିଆରେ ଅନ୍‌ଲାଇନ୍‌ ଏଫ୍‌ଡି ମଧ୍ୟ ଖୋଲିପାରିବେ।

Share