ନଦୀପଠାରେ ପୋତା ହୋଇଛି ମୃତଦେହ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ ହାତ ସହ ସେ ପିନ୍ଧିଥିବା ପ୍ୟାଣ୍ଟ୍‌ ଓ ଚପଲ ବାହରକୁ ଦିଶୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅନୁସନ୍ଧାନ ଆରମ୍ଭ କରିଛି। ମୃତଦେହଟି ପଚିଯିବା ସହ ପ୍ରବଳ ଦୁର୍ଗନ୍ଧ ହେଉଛି। ପାରିପାର୍ଶ୍ୱିକ ସ୍ଥିତିରେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି। ତେବେ ରାତି ଅଧିକ ହୋଇଯିବାରୁ ପୋଲିସ ମୃତଦେହକୁ ବାଲିରୁ ବାହାର କରିପାରିନି। ଉକ୍ତ ସ୍ଥାନକୁ ବ୍ୟାରିକେଡ୍‌ ସହ ଲାଇଟ୍‌ ଲଗାଇ ପୋଲିସ ଜଗି ରହିଛି। ଗୁରୁବାର ସକାଳେ ସାଇଣ୍ଟିଫିଟ୍‌ ଟିମ ପହଞ୍ଚତ୍ବ। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇ ତଦନ୍ତ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ମୃତଦେହଟି ଜଣେ ଯୁବକଙ୍କର ଓ ୨/୩ ଦିନ ତଳୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ। ସେପଟେ ଆଖପାଖ ଗାଁର କୌଣସି ବ୍ୟକ୍ତି ନିଖୋଜ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବ୍ୟକ୍ତିଜଣକ ବାହାର ଅଞ୍ଚଳର ହୋଇଥିବାରୁ ପୋଲିସ ପାଇଁ ପରିଚୟ ଖୋଜିବା ସହ ଘଟଣାର ରହସ୍ୟ ଉନ୍ମୋଚନ କରିବା ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ଅନୁଯାୟୀ, ବୁଧବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ନଦୀପଠାକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ନଦୀପଠାର ଏକ ସ୍ଥାନରେ ବାଲି ଉଚ୍ଚା ହୋଇ ରହିଥିବାବେଳେ ଏକ ପାପୁଲି, ପ୍ୟାଣ୍ଟ ଓ ଚପଲ ବାହାରକୁ ବାହାରିଥିବା ଦେଖିବାକୁ ପାଇଥିଲେ। ସେଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ।
ଗଣ୍ଡଗୋଳରୁ ହତ୍ୟା ସନ୍ଦେହ, ବର୍ଷା ହେବାରୁ ଜଣାପଡିଲା
ଲକ୍‌ଡାଉନ ଠାରୁ ସହରରୁ ବହୁ ଯୁବକ ନିୟମିତ ବାଲିଯାତ୍ରା ହେଉଥିବା କୁଆଖାଇ ନଦୀପଠାକୁ ବୁଲିବାକୁ ଆସୁଥିଲେ। ଘଟଣାସ୍ଥଳଟି ନିଛାଟିଆ ଥିବାରୁ ସେଠାରେ ନିୟମିତ ନିଶାଦ୍ରବ୍ୟ ସେବନ କରୁଥିଲେ। ତେବେ ସେଠାରେ କୌଣସି କାରଣରୁ ଝଗଡାରୁ ବ୍ୟକ୍ତିଜଣଙ୍କୁ ହତ୍ୟା କରାଯାଇ ବାଲିରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର ଅପରାହ୍ନରୁ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ବୁଧବାର ମଧ୍ୟ ସାମାନ୍ୟ ଧରଣର ବର୍ଷା ହୋଇଥିଲା। ଫଳରେ ପୋତାଯାଇଥିବା ମୃତଦେହରୁ ବାଲି ଧୋଇଯିବା ପରେ ଘଟଣା ଜଣାପଡିଥିଲା।

Share