ଯୋଧପୁର, ୯।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଦେଚୁ ଅଞ୍ଚଳର ଲୋଡ଼ତା ଗାଁର ଏକ ଚାଷ ଜମିରୁ ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି। ପାକିସ୍ତାନୀ ଶରଣାର୍ଥୀମାନେ ଚାଷଜମିରେ ମୁଲ ଲାଗୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ୨ ପୁରୁଷ, ୪ ମହିଳା ଏବଂ ୫ ଜଣ ଶିଶୁ ରହିଛନ୍ତି। ଆହତ ଯୁବକ ସୁସ୍ଥ ହେଲେ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ବୋଲି ଏସ୍ପି ରାହୁଲ ବାରହଟ୍ ସୂଚନା ଦେଇଛନ୍ତି। ଭୀଲ ସମ୍ପ୍ରଦାୟର ଏହି ପରିବାର ପାକିସ୍ତାନରୁ ବିସ୍ଥାପିତ ହୋଇ ଏଠାରେ ବାସ କରୁଥିବା ସେ କହିଛନ୍ତି। ଇତିମଧ୍ୟରେ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏସ୍ପି ପ୍ରକାଶ କରିଛନ୍ତି।