ମାଲକାନଗିରି,୭ା୬(ଡି.ଏନ୍.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ପୋଡପଦା ନଦୀରେ ଗତ ୧ ତାରିଖରେ ୨ଟି ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ସପ୍ତାହ ନ ପୂରୁଣୁ ପୁଣି ସୋମବାର ଖଇରପୁଟ ବ୍ଲକର ସେହି ନଦୀରେ ଆଉ ଏକ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିଲେ। ବୁଧବାର ସେମାନଙ୍କ ମୃତଦେହ ଜବତ ହୋଇଛି। ସେମାନେ ହେଲେ ସଞ୍ଜିତ କିଡିଙ୍ଗି (୧୫) ଓ ବଳରାମ କିଡିଙ୍ଗି (୧୪)।
ଖଇରପୁଟର ଏହି ୨ଜଣଙ୍କ ସହ ଅନ୍ୟ ୩ଜଣ ମୋଟ ୫ଜଣ ମିଶି ଏକ ଡଙ୍ଗାରେ ପୋଡପଦା ନଦୀ ଅପରପାର୍ଶ୍ୱରେ ଥିବା ପାଡାଲପସ୍ବଙ୍କ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଡଙ୍ଗାଟି ବୁଡିଯାଇଥିଲା। କୌଶଳକ୍ରମେ ୩ଜଣ ପହଁରି କୂଳକୁ ଆସିଥିବା ବେଳେ ସଞ୍ଜିତ ଓ ବଳରାମଙ୍କ କୌଣସି ପତ୍ତା ମିଳି ନ ଥିଲା। କୂଳକୁ ଆସିଥିବା ତିନିଜଣ ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମବାସୀ ସେମାନଙ୍କୁ ଖୋଜାଖୋଜି କରିଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇ ନ ଥିଲେ। ବୁଧବାର ଅଗ୍ନିଶମବାହିନୀ ସହ କୋରାପୁଟ ଓଡ୍ରାଫ ଟିମ୍ ନିଖୋଜ ୨ଜଣଙ୍କ ମୃତଦେହ ଜବତ କରିଛନ୍ତି।