୪୩ ବର୍ଷ ମଧ୍ୟରେ ମିଳିଥିବା ୨୨ଜଣ ମହିଳାଙ୍କ ମୃତଦେହ ହୋଇନି ଚିହ୍ନଟ: ଇଣ୍ଟରପୋଲ ଆରମ୍ଭ କଲା ‘ଅପରେଶନ ଆଇଡେଣ୍ଟିଫାଏ ମି’…

ପ୍ୟାରିସ,୧୧।୫ : ଗତ ୪୩ ବର୍ଷ ମଧ୍ୟରେ ଜର୍ମାନୀ, ବେଲଜିୟମ ଏବଂ ନେଦରଲାଣ୍ଡରେ ୨୨ ଜଣ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଥିବା ଜଣାପଡିଛି ଏବଂ କେତେକ ମହିଳାଙ୍କ ମୃତ୍ୟୁରେ ଦୁର୍ବ୍ୟବହାର କିମ୍ବା ଅନାହାରର ସୂଚନା ରହିଛି ବୋଲି ପୋଲିସ କହିଛି।

ସେସବୁ ମହିଳାମାନେ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଦନ୍ତକାରୀମାନେ ତଥାପି ତାଙ୍କ ହତ୍ୟାକାରୀଙ୍କୁ ଖୋଜୁଛନ୍ତି।
ପୋଲିସ ଆଶା କରୁଛି , ବୁଧବାର ଆରମ୍ଭ ହୋଇଥିବା ‘ଅପରେଶନ ଆଇଡେଣ୍ଟିଫାଏ ମି’ ମହିଳାମାନଙ୍କୁ ଚିହ୍ନଟ କରିବାରେ ଏବଂ ହତ୍ୟାକାରୀଙ୍କୁ ଟ୍ରାକ କରିବାରେ ସାହାଯ୍ୟ କରିପାରେ। ଅନ୍ତର୍ଜାତୀୟ ସ୍ତରରେ ମହିଳାମାନଙ୍କୁ ଖୋଜିବାରେ ଇଣ୍ଟରପୋଲ ଜନସାଧାରଣଙ୍କ ସାହାଯ୍ୟ ଲୋଡିଛି।
ଫ୍ରାନ୍ସର ଲିୟନରେ ଅବସ୍ଥିତ ଅନ୍ତର୍ଜାତୀୟ ପୋଲିସ ସଂଗଠନ ଇଣ୍ଟରପୋଲ କିଛି ମହିଳାଙ୍କ ଚିତ୍ର ଶେୟାର କରିଛି।

ପୁରାତନ ମୃତଦେହ ୧୯୭୬ ମସିହାରେ ନେଦରଲାଣ୍ଡର ଏ-୧୨ ମୋଟରୱେରୁ ମିଳିଥିବାବେଳେ ସଦ୍ୟତମ ଅଗଷ୍ଟ ୨୦୧୯ ରେ ବେଲଜିୟମର ଏକ ପାର୍କରୁ ମିଳିଥିଲା। ଯଦି ମହିଳାଙ୍କ ନାମ ଜଣାଯାଏ, ତେବେ ଅନ୍ତତଃପକ୍ଷେ ପୋଲିସ ପାଇଁ ଏକ ସୁବିଧା ରହିବ, ସେମାନେ ଅନୁସନ୍ଧାନ ସମୟରେ ମହିଳାମାନଙ୍କୁ ସେମାନଙ୍କ ନାମରେ ଉଲ୍ଲେଖ କରିପାରିବେ। ପୋଲିସକୁ ଏ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଚିହ୍ନିତ ମାର୍କ କିମ୍ବା ପୋଷାକରୁ ପରିଚୟ ଦେବାକୁ ପଡିଛି। ଉଦାହରଣ ସ୍ବରୂପ, ଜଣକୁ “ଫୁଲ ଟାଟୁ ଥିବା ମହିଳା” ବୋଲି ଚିହ୍ନିତ ହୋଇଥିବାବେଳେ ଅନ୍ୟକୁ “ନକଲି ନଖ ଥିବା ମହିଳା” ଭାବରେ ପରିଚିତ କରାଯାଇଛି। କିମ୍ବା ଏହା ସେହି ସ୍ଥାନ ଭାବରେ ଚିହ୍ନଟ ହୋଇଛି ଯେଉଁଠାରୁ ସେମାନଙ୍କ ମୃତଦେହ ମିଳିଥିଲା ।

କେତେକ ମହିଳା ପୂର୍ବ ୟୁରୋପର ବୋଲି ଜଣାପଡିଛି ଏବଂ ତଦନ୍ତକୁ ଜଟିଳ କରିବା ପାଇଁ ସେମାନଙ୍କ ମୃତଦେହ ବେଲଜିୟମ, ନେଦରଲାଣ୍ଡ ଏବଂ ଜର୍ମାନୀରେ ରହିଥାଇ ପାରେ ବୋଲି ଇଣ୍ଟରପୋଲ ଏକ ବିବୃତ୍ତିରେ କହିଛି।
ପୋଲିସ ଆଶା କରୁଛି ଯେ ସେମାନଙ୍କ ନାମ ଜାଣିବା ମଧ୍ୟ ସମ୍ଭାବ୍ୟ ଅପରାଧୀଙ୍କ ବିଷୟରେ ପ୍ରମାଣ ଆଣିପାରେ। ଏହି ହତ୍ୟାକାଣ୍ଡ କିଛି ବଡ ମାମଲା ସହିତ ସମ୍ପୃକ୍ତ କି ନାହିଁ ତାହା ଜାଣିବାରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବ ।

Share