ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସରକାରୀ ସହାୟତା ଦାବି

ନୂଆପଡ଼ା ଅଫିସ,୧୧ା୬: ତେଲଙ୍ଗାନାକୁ କାମ କରିବାକୁ ଯାଇଥିବା ନୂଆପଡ଼ା ସଦର ମହୁହାଭଟା ଗ୍ରାମର ଶମ୍ଭୁ ରଣା(୨୪)ଙ୍କ ଗତ ୮ ତାରିଖରେ ମୃତ୍ୟୁ ଘଟିଥିଲା। ତିନି ଦିନ ପରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଗ୍ରାମରେ ମୃତଦେହ ପହଞ୍ଚତ୍ବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଲୋକଙ୍କ ଉପସ୍ଥିତିରେ ଅନ୍ତିମସତ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, ମହୁହାଭଟା ଗ୍ରାମର ଶମ୍ଭୁ, ସ୍ତ୍ରୀ କୁମୁଦିନୀ(୨୦), ଶାଳୀ କୁରଙ୍ଗା ରଣା(୧୮) ଓ ତିନି ପୁଅଝିଅ ସୁନ୍ଦରଲାଲ, ସୋହଦ୍ରା ଓ ନେହାଙ୍କୁ ଧରି ଇଟା ଗଢ଼ିବା ପାଇଁ ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବିଜାଘାଟ ଗାଁର ଜଣେ ଦାଦନ ସର୍ଦ୍ଦାର ଜଣଙ୍କ ପ୍ରତି ୩୫ ହଜାର ଟଙ୍କା ଅଗ୍ରିମ ଦେଇ ନେଇଥିଲେ।

ହେଲେ ଗତ ୮ ତାରିଖରେ ଶମ୍ଭୁଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ସେଠାରେ ଉପସ୍ଥିତ ଲୋକେ ନିକଟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଇଟାଭାଟିକୁ ଆଣି ଘରକୁ ନେବା ପାଇଁ ମାଲିକଙ୍କୁ କହିଥିଲେ। ଏଥିରେ ମାଲିକ ରାଜି ହୋଇ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ପଠାଇଥିଲେ। ପରିବାରର ସେ ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ପରେ ପରିବାର ସମସ୍ତେ ଭାଙ୍ଗି ପଡିଛନ୍ତି। ମୋର ତିନି ପିଲାଙ୍କୁ ନେଇ କିଭଳି ଚଳିବି ବୋଲି କୁମୁଦିନୀ କହିଛନ୍ତି। ସରକାର ମୋ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଗୁହାରି କରିଛନ୍ତି।

Share